ରାଜ୍ୟର ସମସ୍ତ ୟୁ ଏଲ୍ ବି ପାଇଁ ଏକ ସୁଦୃଢ଼ ‘ଷ୍ଟ୍ରଙ୍ଗ୍ ଡ୍ରେନେଜ୍ ମାଷ୍ଟର ପ୍ଲାନ୍’ ପ୍ରସ୍ତୁତ କରାଯିବ
ଭୁବନେଶ୍ଵର(ରାଜ୍ୟ କାହାଣୀ )ରାଜ୍ୟର ବିଭିନ୍ନ ଅଞ୍ଚଳରେ, ବିଶେଷକରି ଉତ୍ତର ଓଡ଼ିଶା ଏବଂ ବାଲେଶ୍ୱର , ଭଦ୍ରକ, ଯାଜପୁର ଆଦି ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ଓ ଜଳ ବନ୍ଦି ସ୍ଥିତିର ମୁକାବିଲା ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବ୍ୟାପକ ଓ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇଛି । ସହରାଞ୍ଚଳରେ ଲୋକଙ୍କ ସୁରକ୍ଷା, ଜଳ ନିଷ୍କାସନ ଏବଂ ଆବଶ୍ୟକ ରିଲିଫ୍ ବ୍ୟବସ୍ଥାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି ବୋଲି ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି । ତେବେ ସହରାଞ୍ଚଳରେ ତୁରନ୍ତ ଜଳ ନିଷ୍କାସନ, ରିଲିଫ୍ ଓ ଉଦ୍ଧାର କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବା ସହ ସ୍ଥିତି ଉପରେ ୨୪ ଘଣ୍ଟିଆ ନଜର ରଖିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।ବର୍ତ୍ତମାନର ପରିସ୍ଥିତିକୁ ଗୁରୁତ୍ୱର ସହ ବିଚାର କରି ନଗର ଉନ୍ନୟନ ବିଭାଗ ଅଧୀନ ସମସ୍ତ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ସମସ୍ତ ଅଧିକାରୀ ୨୪ ଘଣ୍ଟିଆ ଆଲର୍ଟରେ ରହିବା ସହ ନିଜ ନିଜ ଅଞ୍ଚଳର ସ୍ଥିତି ଉପରେ ନିରନ୍ତର ନଜର ରଖିଛନ୍ତି । ବିଭାଗୀୟ କଣ୍ଟ୍ରୋଲ୍ ରୁମ୍ ଜରିଆରେ ବିଭିନ୍ନ ସହରାଞ୍ଚଳର ସ୍ଥିତିକୁ ନିୟମିତ ମନିଟରିଂ କରାଯାଉଛି ଏବଂ ଆବଶ୍ୟକତା ଅନୁଯାୟୀ ତୁରନ୍ତ ସହାୟତା ପଠାଯାଉଛି।
ପ୍ରତିବର୍ଷ ପ୍ରବଳ ବର୍ଷା ସମୟରେ କେତେକ ସହରାଞ୍ଚଳରେ ଦେଖାଦେଉଥିବା ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ରାଜ୍ୟ ସରକାର ଏକ ଦୀର୍ଘମିଆଦୀ ଯୋଜନା ଉପରେ ଗୁରୁତ୍ୱ ଦେଉଛନ୍ତି । ରାଜ୍ୟର ସମସ୍ତ ୟୁ ଏଲ୍ ବି ପାଇଁ ଏକ ସୁଦୃଢ଼ ‘ଷ୍ଟ୍ରଙ୍ଗ୍ ଡ୍ରେନେଜ୍ ମାଷ୍ଟର ପ୍ଲାନ୍’ ପ୍ରସ୍ତୁତ କରାଯିବ ।ଏହି ମାଷ୍ଟର ପ୍ଲାନ୍ରେ ସହରାଞ୍ଚଳର ପ୍ରାକୃତିକ ଜଳ ପ୍ରବାହ, ଡ୍ରେନେଜ୍ ନେଟୱର୍କ, ଜଳ ଧାରଣ କ୍ଷମତା, ଅଧିକ ବର୍ଷା ସମୟରେ ଜଳ ପ୍ରବାହର ଚାପ, ନିଷ୍କାସନ ପଥ ଏବଂ ଭବିଷ୍ୟତର ସହରୀକରଣକୁ ବିଚାରକୁ ନିଆଯିବ । ଏହା ଆଧାରରେ ଆବଶ୍ୟକ ଡ୍ରେନ୍ ନିର୍ମାଣ, ପୁନରୁଦ୍ଧାର, ସମ୍ପ୍ରସାରଣ ଓ ଅନ୍ୟାନ୍ୟ ଆବଶ୍ୟକ ଭିତ୍ତିଭୂମି ବିକାଶ ପାଇଁ ପ୍ରକଳ୍ପ ରିପୋର୍ଟ୍ ପ୍ରସ୍ତୁତ କରାଯାଇ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରାଯିବ ।