ରାଜ୍ୟରେ ପେଟ୍ରୋଲ ଓ ଡିଜେଲର କୌଣସି ଅଭାବ ନାହିଁ: ଯୋଗାଣ ମନ୍ତ୍ରୀ
ରାଜ୍ୟ କାହାଣୀ ( ଭୁବନେଶ୍ଵର)ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ଏବେ ଓଡ଼ିଶାର ପେଟ୍ରୋଲ ପମ୍ପଗୁଡ଼ିକରେ ମଧ୍ୟ ଦେଖିବାକୁ ମିଳିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ପେଟ୍ରୋଲ ଓ ଡିଜେଲର ଯୋଗାଣ କମିଥିବା ଅଭିଯୋଗ ଆସୁଛି। କେତେକ ପେଟ୍ରୋଲ ପମ୍ପରେ ଲମ୍ବା ଲାଇନ ଲାଗିଥିବା ବେଳେ, ଆଉ କେତେକ ସ୍ଥାନରେ ଗାଡ଼ିଚାଳକଙ୍କୁ ନିର୍ଦ୍ଧାରିତ ପରିମାଣରେ ମାତ୍ର ତେଲ ଦିଆଯାଉଛି। ବାଇକ ପିଛା ଦୁଇ ଶହ ଟଙ୍କା ଏବଂ କାର ପିଛା ହଜାରେ ଟଙ୍କାର ତେଲ ଦିଆଯାଉଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ଯାତ୍ରୀବାହୀ ବସ, ଟ୍ରକ ଓ ବ୍ୟବସାୟିକ ଗାଡ଼ି ଚାଳକମାନେ ସବୁଠାରୁ ଅଧିକ ସମସ୍ୟାରେ ପଡ଼ିଛନ୍ତି ।
ଯଦି ଏଭଳି ସ୍ଥିତି ଜାରି ରହେ, ତେବେ ଦୈନନ୍ଦିନ ଯାତାୟାତ ଓ ବଜାର ବ୍ୟବସ୍ଥା ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିପାରେ ବୋଲି ଆଶଙ୍କା କରାଯାଉଛି । କିନ୍ତୁ ଏହାରି ଭିତରେ ରାଜ୍ୟର ଯୋଗାଣ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ରାଜ୍ୟରେ ପେଟ୍ରୋଲ ଓ ଡିଜେଲର କୌଣସି ଅଭାବ ନାହିଁ । ଯଥେଷ୍ଟ ପରିମାଣରେ ମଜଭୁତ ରହିଛି ଏବଂ ଲୋକମାନେ ଆତଙ୍କିତ ହେବାର କୌଣସି ଆବଶ୍ୟକତା ନାହିଁ । କେତେକ ସ୍ଥାନରେ ପରିବହନ ଓ ଯୋଗାଣ ସମସ୍ୟା କାରଣରୁ ସାମୟିକ ଅସୁବିଧା ହୋଇଥିବା କୁହାଯାଉଛି । ଖୁବ ଶୀଘ୍ର ସ୍ଥିତି ସ୍ୱାଭାବିକ ହେବ ବୋଲି ସରକାର ପକ୍ଷରୁ ଆଶ୍ୱାସନ ଦିଆଯାଇଛି । ତଥାପି ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବୃଦ୍ଧି ଓ ଯୋଗାଣ ନେଇ ଅନିଶ୍ଚିତତା ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଛି । ଏବେ ସମସ୍ତଙ୍କ ନଜର ସରକାର ଓ ତୈଳ କମ୍ପାନୀଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ରହିଛି ।