ମହିଳାଙ୍କୁ ମାନସିକ ନିର୍ଯାତନା ଅଭିଯୋଗ: ନିଲମ୍ବିତ ହେଲେ ଖଣ୍ଡପଡା ଏସଡ଼ିପିଓ
ରାଜ୍ୟ କାହାଣୀ ( ଭୁବନେଶ୍ଵର)ଖଣ୍ଡପଡ଼ା ଏସ୍ଡିପିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ । ଖଣ୍ଡପଡ଼ା ଏସଡିପିଓ ମଦନ ମୋହନ ପ୍ରଧାନଙ୍କୁ ନିଲମ୍ବିତ କରାଯାଇଛି । ପୁଲିସ ଡିଜି ୱାଇ.ବି. ଖୁରାନିଆ ସସ୍ପେଣ୍ଡ କରିଛନ୍ତି । ଥାନାକୁ ସାକ୍ଷୀ ପାଇଁ ଡାକି ମହିଳାଙ୍କୁ ଅଶାଳୀନ ମନ୍ତବ୍ୟ, ମାନସିକ ନିର୍ଯାତନା ଦେବା ଅଭିଯୋଗ ହୋଇଥିଲା ।କେବଳ ଅଭିଯୋଗ ନୁହେଁ ବାର୍ତ୍ତାଳାପର ଏକ ଅଡିଓ କଲ ରେକର୍ଡ ସାଧାରଣରେ ଭାଇରାଲ ହୋଇଥିଲା । ଏ ସମ୍ପର୍କରେ ପୁଲିସ ଡିଜିଙ୍କ ନିକଟରେ ଫେରାଦ ହୋଇଥିଲେ ସଂପୃକ୍ତ ମହିଳା । ଶେଷରେ ପୁଲିସ ଡିଜି ଖଣ୍ଡପଡ଼ା ଏସ୍ଡିପିଓଙ୍କୁ ନିଲମ୍ବିତ କରିଛନ୍ତି ।ସୂଚନାଯୋଗ୍ୟ ଯେ, ନୟାଗଡ଼ ଫତେଗଡ଼ ଥାନାରେ ଥିବା ଏକ ପୁରୁଣା ମାମଲାର ସମାଧାନ କରିବାକୁ ଖଣ୍ଡପଡ଼ା ଏସଡିପିଓ ଉକ୍ତ ମହିଳାଙ୍କୁ ବାରମ୍ବାର କାର୍ଯ୍ୟାଳୟକୁ ଡାକି ପ୍ରେମ ଜାଲରେ ଫସାଇବାକୁ ଚେଷ୍ଟା କରୁଥିଲେ । ଏପରିକି ମାନସିକ ଚାପ ମଧ୍ୟ ସୃଷ୍ଟି କରୁଥିଲେ । ତାଙ୍କ ସ୍ୱାମୀକୁ କୌଣସି ଏକ ମାମଲାରେ ଗିରଫ କରିବା ପାଇଁ ଧମକ ଦେଇ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ମହିଳା ଜଣଙ୍କୁ ଏସଡିପିଓ ଅଶ୍ଳୀଳ ଫଟୋ ମାଗିବା ସହ ବାରମ୍ବାର ତାଙ୍କ ସହ ଶାରିରୀକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି।
ଏମିତିକି ଏସଡିପିଓ ତାଙ୍କୁ ଅଶ୍ଳୀଳ ଇଙ୍ଗିତ କରୁଥିବାର ଏକ ଅଡିଓ କ୍ଲିପ୍ ମଧ୍ୟ ମହିଳା ଜଣଙ୍କ ପ୍ରଦାନ କରିଛନ୍ତି। ଯେଉଁଥିରେ ଏସଡିପି ଅଟୋରେ ଆସି ରାତିରେ ରହିବାକୁ କହୁଥିବା ଏବଂ ସମ୍ପର୍କ ରଖିଲେ କିଛି ଅସୁବିଧା ହେବ କି ବୋଲି ପ୍ରଶ୍ନ କରିଥିଲେ। ଉକ୍ତ ମହିଳା ଏହାକୁ ବାରମ୍ବାର ବିରୋଧ କରିବା ସହ ଅନେକ ସମୟରେ ଏଡ଼ାଇ ଯିବାକୁ ବାଧ୍ୟ ହୋଇଥିଲେ ବି ଏସଡିପି ତାଙ୍କ ପିଛା ଛାଡ଼ୁ ନଥିବା ଅଭିଯୋଗ ହୋଇଥିଲା । ଏନେଇ ମହିଳା ଜଣଙ୍କ ପୋଲିସ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ଯାଇ ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ। ପରେ ତାଙ୍କୁ ବଦଳି କରାଯାଇ ଜିଲ୍ଲା ମୁଖ୍ୟାଳୟକୁ ଅଣାଯାଇଛି ।