ଭାରତରେ କଠୋର ହେଲା AI ନିୟମ: ୩ ଘଣ୍ଟା ମଧ୍ୟରେ ହଟାଯିବ ଅଶ୍ଳୀଳ, ଜାଲିଆତି ବିଷୟବସ୍ତୁ
କେନ୍ଦ୍ର ସରକାର ମଙ୍ଗଳବାର ସୋସିଆଲ୍ ମିଡିଆ ପ୍ଲାଟଫର୍ମଗୁଡ଼ିକ ପାଇଁ କଡ଼ା ଆଦେଶ ଜାରି କରିଛନ୍ତି । ଏହା ଅନୁସାରେ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏଣିକି ଏଆଇ ସାମଗ୍ରୀ ଉପରେ ୱାଟରମାର୍କ ଲଗାଇବେ । ଏପରି ସାମଗ୍ରୀକୁ ଚିହ୍ନଟ ପାଇଁ ସଂକେତ ରହିବା ଜରୁରି । ନୂତନ ଆଇଟି ନିୟମ ଅନୁଯାୟୀ, ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ଏବେ ଯେକୌଣସି ଆପତ୍ତିଜନକ ବିଷୟବସ୍ତୁକୁ ମାତ୍ର ୩ ଘଣ୍ଟା ମଧ୍ୟରେ ହଟାଇବାକୁ ପଡ଼ିବ। ଏହି ନିୟମ ଫେବୃଆରୀ ୧୦ରେ ଅଧିସୂଚିତ ହୋଇଥିବା ବେଳେ ଫେବୃଆରୀ ୨୦ ରୁ ସାରା ଦେଶରେ କାର୍ଯ୍ୟକାରୀ ହେବ।ସରକାର କହିଛନ୍ତି ଯେ ମଣିଷ ନିର୍ମିତ କିମ୍ବା କୃତ୍ରିମ ଭାବରେ ତିଆରି କରାଯାଇଥିବା ସୂଚନାକୁ ସ୍ପଷ୍ଟ ଭାବେ ଚିହ୍ନଟ କରିବା ପାଇଁ ଲେବଲ୍ (ୱାଟରମାର୍କ) ବାଧ୍ୟତାମୂଳକ ହେବ । ଏଥିରେ ଅଡିଓ, ଭିଡିଓ, ଫଟୋ କିମ୍ବା ଗ୍ରାଫିକ୍ସ ସମେତ ଯେକୌଣସି ଡିଜିଟାଲ୍ ବିଷୟବସ୍ତୁ ଅନ୍ତର୍ଭୁକ୍ତ ରହିବ । ୟୁଜର ଯେପରି ଏପରି ସାମଗ୍ରୀର କୌଣସି ଅପବ୍ୟବହାର କରିବେ ନାହିଁ, ତାହା ସୋସିଆଲ୍ ମିଡିଆ ପ୍ଲାଟଫର୍ମଗୁଡ଼ିକ ନିଶ୍ଚିତ କରିବେ । ପ୍ଲାଟଫର୍ମଗୁଡ଼ିକ ୟୁଜରମାନଙ୍କୁ ବେଆଇନ, ଅଶ୍ଳୀଳ, ଜାଲିଆତି କିମ୍ବା ଶିଶୁ ଯୌନ ଶୋଷଣ ବିଷୟବସ୍ତୁ ସୃଷ୍ଟି କିମ୍ବା ସେୟାର କରିବାରୁ ରୋକିବା ପାଇଁ ଅଟୋମେଟେଡ୍ ଟେକ୍ନୋଲୋଜି ବ୍ୟବହାର କରିବେ ।ପୂର୍ବରୁ କୌଣସି କ୍ଷତିକାରକ ପୋଷ୍ଟ ହଟାଇବା ପାଇଁ ୩୬ ଘଣ୍ଟା ସମୟ ମିଳୁଥିବା ବେଳେ, ଏବେ ଏହାକୁ କମାଇ ମାତ୍ର ୩ ଘଣ୍ଟା କରାଯାଇଛି। ସେହିପରି ଅନ୍ୟାନ୍ୟ ଅଭିଯୋଗର ସମାଧାନ ସମୟ ସୀମା ମଧ୍ୟ ୧୫ ଦିନରୁ ୭ ଦିନକୁ ହ୍ରାସ କରାଯାଇଛି।ସରକାର ସ୍ପଷ୍ଟ କରିଛନ୍ତି ଯେ, ଯଦି କୌଣସି ପ୍ଲାଟଫର୍ମ AI କଣ୍ଟେଣ୍ଟର ଚିହ୍ନଟ ଏବଂ ଲେବଲିଂରେ ଅବହେଳା କରନ୍ତି, ତେବେ ସେମାନେ ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ। ଶିଶୁ ଯୌନ ନିର୍ଯାତନା, ଜାଲିଆତି କିମ୍ବା ଅସଦାଚରଣ ପାଇଁ AI ର ବ୍ୟବହାର ହେଲେ, ତାହାକୁ ସାଧାରଣ ଅପରାଧ ଭଳି ବିଚାର କରାଯିବ।