ବେଦାନ୍ତ ଲାଞ୍ଜିଗଡ଼ ଆଲୁମିନା ରିଫାଇନାରୀ ପାଇଁ ସ୍ଥାନୀୟ ବକ୍ସାଇଟ ଯୋଗାଣକୁ ତ୍ୱରାନ୍ନିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି
ଭୁବନେଶ୍ୱର, ରାଜ୍ୟ କାହାଣୀ: ଓଡ଼ିଶାରେ ବେଦାନ୍ତର ପ୍ରସ୍ତାବିତ ୧ ଲକ୍ଷ କୋଟି ଟଙ୍କାର ଆଲୁମିନିୟମ ପ୍ରକଳ୍ପର କାର୍ଯ୍ୟାନ୍ୱୟନ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବେଦାନ୍ତ ଅଧ୍ୟକ୍ଷ ଅନିଲ ଅଗ୍ରୱାଲ ଶନିବାର ଲୋକସେବା ଭବନରେ ଆଲୋଚନା କରିଛନ୍ତି। ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନ ତ୍ୱରାନ୍ୱିତ କରିବା ସହ ଶିଳ୍ପ ଓ ସରକାର ମଧ୍ୟରେ ସହଯୋଗକୁ ଆହୁରି ସୁଦୃଢ଼ କରିବା ଉପରେ ଆଲୋଚନା ହୋଇଥିଲା।
ବୈଠକରେ ବକ୍ସାଇଟ ଯୋଗାଣ ସୁରକ୍ଷା ନେଇ ମଧ୍ୟ ଆଲୋଚନା ହୋଇଥିଲା। କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ସ୍ଥିତ ବେଦାନ୍ତର ଅତ୍ୟାଧୁନିକ ଆଲୁମିନା ରିଫାଇନାରୀ ପାଇଁ ସ୍ଥାନୀୟ ଅଞ୍ଚଳରୁ ବକ୍ସାଇଟ ଯୋଗାଣ କରାଯିବ ବୋଲି ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଛନ୍ତି।
ବେଦାନ୍ତ ପକ୍ଷରୁ ପ୍ରସ୍ତାବିତ ୧ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପରେ ଢେଙ୍କାନାଳ ଜିଲ୍ଲାରେ ବାର୍ଷିକ ୩୦ ଲକ୍ଷ ଟନ କ୍ଷମତାର ଆଲୁମିନିୟମ ସ୍ମେଲ୍ଟର ଏବଂ ରାୟଗଡ଼ା ଜିଲ୍ଲାରେ ବାର୍ଷିକ ୬୦ ଲକ୍ଷ ଟନ କ୍ଷମତାର ଆଲୁମିନା ରିଫାଇନାରୀ ପ୍ରତିଷ୍ଠା ହେବ। ଏହା ଭାରତର ଶିଳ୍ପ ବିକାଶ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନର ମାଇଲଖୁଣ୍ଟ ହେବ ବୋଲି କୁହାଯାଇଛି। ଢେଙ୍କାନାଳ ପ୍ଲାଣ୍ଟରୁ ଉଚ୍ଚମାନର ହଟ୍ ମେଟାଲ ଓଡ଼ିଶାରେ ବେଦାନ୍ତର ଡାଉନଷ୍ଟ୍ରିମ ଆଲୁମିନିୟମ ପାର୍କଗୁଡ଼ିକୁ ଯୋଗାଣ କରାଯିବ। ଏହା ଦେଶର ଆଲୁମିନିୟମ ମୂଲ୍ୟଯୋଗ ଓ ଉତ୍ପାଦନ କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି କରିବ।
ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ବେଦାନ୍ତର ସମୁଦାୟ ଆଲୁମିନିୟମ ଉତ୍ପାଦନ କ୍ଷମତା ବାର୍ଷିକ ୬୦ ଲକ୍ଷ ଟନକୁ ବୃଦ୍ଧି ପାଇବ। ଏହା ଦେଶର ଦ୍ରୁତ ବଢ଼ୁଥିବା ଆଲୁମିନିୟମ ଚାହିଦା ପୂରଣରେ ସହାୟକ ହେବ।
ଆଲୋଚନା ସମୟରେ ଅନିଲ ଅଗ୍ରୱାଲ ଝାରସୁଗୁଡ଼ାରେ ଥିବା ଆଲୁମିନିୟମ ସ୍ମେଲ୍ଟରର କ୍ଷମତାକୁ ଆଉ ୧୦ ଲକ୍ଷ ଟନ ବଢ଼ାଇବା ପାଇଁ ବ୍ରାଉନଫିଲ୍ଡ ବିସ୍ତାର ପ୍ରସ୍ତାବ ମଧ୍ୟ ଦେଇଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାର ଯୁବପିଢ଼ି ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ଗୁରୁତ୍ୱ ଦେଉଛି। ଏଥିପାଇଁ ରାଜ୍ୟ ସରକାର ଦେଶ ଓ ବିଦେଶରୁ ଅଧିକ ପୁଞ୍ଜିନିବେଶ ଆକର୍ଷଣ ପାଇଁ ପ୍ରୟାସ କରୁଛି। ଏହି ପ୍ରକଳ୍ପଗୁଡ଼ିକର ନିଯୁକ୍ତି ଓ ସ୍ଥାନୀୟ ବିକାଶ କ୍ଷେତ୍ରରେ ବିଶାଳ ସମ୍ଭାବନା ଥିବାରୁ ଆଲୁମିନିୟମ କ୍ଷେତ୍ରରେ ଏହି ପୁଞ୍ଜିନିବେଶକୁ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇବେ ବୋଲି ସେ କହିଥିଲେ। ପ୍ରକଳ୍ପଗୁଡ଼ିକୁ ଶୀଘ୍ର ଭୂମିସ୍ତରରେ କାର୍ଯ୍ୟକ୍ଷମ କରିବା ଦିଗରେ ପଦକ୍ଷେପ ନେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ।
ବେଦାନ୍ତ ଅଧ୍ୟକ୍ଷ ଅନିଲ ଅଗ୍ରୱାଲ କହିଥିଲେ ଯେ ପ୍ରସ୍ତାବିତ ପୁଞ୍ଜିନିବେଶର ଲକ୍ଷ୍ୟ ହେଉଛି ଭିତ୍ତିଭୂମି, ଶକ୍ତି ପରିବର୍ତ୍ତନ, ଉନ୍ନତ ଉତ୍ପାଦନ ଓ ଉଦୀୟମାନ ପ୍ରଯୁକ୍ତି କ୍ଷେତ୍ରରେ ଭାରତର ଆକାଂକ୍ଷାକୁ ଆଗେଇ ନେବା ପାଇଁ ବିଶ୍ୱସ୍ତରୀୟ ଶିଳ୍ପ ପରିବେଶ ଗଢ଼ି ତୋଳିବା। ଓଡ଼ିଶା ସରକାର ସହ ମିଶି ବିଶ୍ୱସ୍ତରରେ ପ୍ରତିଯୋଗିତାକ୍ଷମ ଶିଳ୍ପ ସମ୍ପତ୍ତି ଗଢ଼ିବା, ବ୍ୟାପକ ନିଯୁକ୍ତି ସୃଷ୍ଟି, ସ୍ଥାନୀୟ ଉଦ୍ୟୋଗଗୁଡ଼ିକୁ ସୁଦୃଢ଼ କରିବା ଏବଂ ‘ବିକଶିତ ଭାରତ’ ଗଠନରେ ଅର୍ଥପୂର୍ଣ୍ଣ ଯୋଗଦାନ କରିବାକୁ ବେଦାନ୍ତ ପ୍ରତିବଦ୍ଧ ବୋଲି ସେ କହିଥିଲେ।
ପଶ୍ଚିମ ଓଡ଼ିଶାରେ ବେଦାନ୍ତ ପକ୍ଷରୁ ୧,୦୦୦ ଶଯ୍ୟା ବିଶିଷ୍ଟ ଏକ ହସ୍ପିଟାଲ ପ୍ରତିଷ୍ଠା କରାଯିବ ବୋଲି ମଧ୍ୟ ଅନିଲ ଅଗ୍ରୱାଲ ସୂଚନା ଦେଇଥିଲେ। ବୈଠକରେ ଅନିଲ ଅଗ୍ରୱାଲ ଓଡ଼ିଶାର ସମୃଦ୍ଧି ପ୍ରତି ବେଦାନ୍ତର ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଇଥିଲେ। ଗତ ଦୁଇ ଦଶନ୍ଧି ଧରି ଓଡ଼ିଶା ସହ ବେଦାନ୍ତର ଏକ ଦୃଢ଼ ସହଭାଗିତା ଗଢ଼ିଉଠିଛି ବୋଲି ସେ କହିଥିଲେ।
ପ୍ରସ୍ତାବିତ ପ୍ରକଳ୍ପରୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୨ ଲକ୍ଷରୁ ଅଧିକ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହା ସହିତ ପରିବହନ, ଭିତ୍ତିଭୂମି, ଯାନ୍ତ୍ରିକ ଓ ସହାୟକ ଶିଳ୍ପ କ୍ଷେତ୍ରରେ ବ୍ୟାପକ ବହୁଗୁଣିତ ପ୍ରଭାବ ସୃଷ୍ଟି ହୋଇ ୨୦ ଲକ୍ଷରୁ ଅଧିକ ଜୀବିକା ସୁଯୋଗ ସୃଷ୍ଟି ହେବ ବୋଲି କୁହାଯାଇଛି। ଏହି ପୁଞ୍ଜିନିବେଶ ରଣନୈତିକ ପ୍ରାକୃତିକ ସମ୍ପଦ କ୍ଷେତ୍ରରେ ଆମଦାନୀ ନିର୍ଭରତା କମାଇବା ସହ ହଜାର ହଜାର କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ ଏବଂ ଯୋଗାଣକାରୀ ବ୍ୟବସାୟର ବିକାଶକୁ ମଧ୍ୟ ସହାୟତା କରିବ।
ବିଶ୍ୱରେ ଶକ୍ତି ପରିବର୍ତ୍ତନ ପ୍ରକ୍ରିୟାରେ ଆଲୁମିନିୟମର ଗୁରୁତ୍ୱ ବଢ଼ୁଛି। ଅକ୍ଷୟ ଶକ୍ତି, ବିଦ୍ୟୁତ ପରିବହନ, ବିଦ୍ୟୁତ ଯାନ, ବିମାନ ଚଳାଚଳ ଏବଂ ଭବିଷ୍ୟତର ଭିତ୍ତିଭୂମି ଭଳି କ୍ଷେତ୍ରରେ ଏହା ଏକ ଅତ୍ୟାବଶ୍ୟକ ସାମଗ୍ରୀ ଭାବେ ବ୍ୟବହୃତ ହେଉଛି।
ସେହିପରି ବିଦ୍ୟୁତ ପରିବହନ ଓ ବଣ୍ଟନ ବ୍ୟବସ୍ଥାରୁ ଆରମ୍ଭ କରି ଶୀତଳୀକରଣ ପ୍ରଣାଳୀ ଓ ତାପ ବିନିମୟକାରୀ ପର୍ଯ୍ୟନ୍ତ, କୃତ୍ରିମ ବୁଦ୍ଧିମତ୍ତା ଭିତ୍ତିକ ଭିତ୍ତିଭୂମି ଓ ତଥ୍ୟ କେନ୍ଦ୍ରର ବିକାଶ ଆଲୁମିନିୟମର ଚାହିଦା ପାଇଁ ନୂଆ ସୁଯୋଗ ସୃଷ୍ଟି କରୁଛି।
ଝାରସୁଗୁଡ଼ାରେ ବିଶ୍ୱର ସର୍ବବୃହତ ଏକକ ସ୍ଥାନୀୟ ଆଲୁମିନିୟମ ସ୍ମେଲ୍ଟର ଏବଂ ଲାଞ୍ଜିଗଡ଼ରେ ବିଶ୍ୱସ୍ତରୀୟ ଆଲୁମିନା ରିଫାଇନାରୀ ଭଳି ପ୍ରସ୍ତାବିତ ଓ ବିଦ୍ୟମାନ ପୁଞ୍ଜିନିବେଶ ଓଡ଼ିଶାକୁ ଭାରତର ଆଲୁମିନିୟମ ହବ୍ରେ ପରିଣତ କରିବାର ସମ୍ଭାବନା ରଖୁଛି।