ବେଙ୍ଗାଲୁରୁ ବଦଳରେ ଅହମ୍ମଦାବାଦରେ ଆଇପିଏଲ୍‌ ଫାଇନାଲ

ଚଳିତ ଆଇପିଏଲର ପ୍ଲେ-ଅଫ୍ କ୍ରୀଡ଼ାସୂଚୀ ଓ ଭେନ୍ୟୁ ଘୋଷଣା କରାଯାଇଛି । ଚିନ୍ନାସ୍ୱାମୀ ଷ୍ଟାଡ଼ିୟମ୍ରୁ ଫାଇନାଲ୍ ମ୍ୟାଚକୁ ଅହମ୍ମଦାବାଦକୁ ସ୍ଥାନାନ୍ତରିତ କରାଯାଇଛି । ନିୟମ ଅନୁଯାୟୀ ଡିଫେଣ୍ଡିଂ ଚାମ୍ପିଅନ୍ ଦଳକୁ ପରବର୍ଷ ଫାଇନାଲ୍ ମ୍ୟାଚ ଆୟୋଜନ କରିବାର ଅଧିକାର ପ୍ରଦାନ କରାଯାଇଥାଏ । ଗତ ବର୍ଷ ବେଙ୍ଗାଲୁରୁ (ଆରସିବି) ଚାମ୍ପିଅନ ଆଖ୍ୟା ଅର୍ଜନ କରିଥିଲା । ଫଳ ସ୍ୱରୂପ ଆରସିବିର ଘରୋଇ ଗ୍ରାଉଣ୍ଡ ଚିନ୍ନାସ୍ୱାମୀ ଷ୍ଟାଡ଼ିୟମ ଫାଇନାଲ୍ ମ୍ୟାଚ ଆୟୋଜନ କରିବା କଥା । ମାତ୍ର  ବିସିସିଆଇ ଫାଇନାଲ ମ୍ୟାଚକୁ ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡ଼ିୟମକୁ ସ୍ଥାନାନ୍ତରିତ କରିଛି ।ମେ’ ୩୧ରେ  ଫାଇନାଲ ଖେଳାଯିବ। କ୍ରମାଗତ ଦ୍ବିତୀୟ ଥର ପାଇଁ ଅହମ୍ମଦାବାଦ ଆଇପିଏଲ ଫାଇନାଲ ଆୟୋଜନ କରିବ।ବିସିସିଆଇ ଘୋଷଣା କରିଛି; କର୍ଣ୍ଣାଟକ କ୍ରିକେଟ୍‌ ଆସୋସିଏସନ୍‌ (କେଏସ୍‌ସିଏ) ଓ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଆବଶ୍ୟକତା ପୂରଣ କରିବା ବିସିସିଆଇ ପ୍ରତିଷ୍ଠିତ ମାର୍ଗଦର୍ଶିକାର ପରିପନ୍ଥୀ। ଫଳରେ ଫାଇନାଲକୁ ଆମେ ସ୍ଥାନାନ୍ତର କରୁଛୁ। ୨୦୨୫ରେ ଖରାପ ପାଣିପାଗ ଯୋଗୁ କଲକାତାର ଇଡେନ ଗାର୍ଡେନ୍‌ସ ବଦଳରେ ଅହମ୍ମଦାବାଦରେ ଫାଇନାଲ ଖେଳା ଯାଇଥିଲା। ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ରେ ଆଇପିଏଲର ପ୍ଲେଅଫ୍‌ ଓ ଫାଇନାଲ ମ୍ୟାଚ ଲାଗି କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର ରାଜ୍ୟର ସମସ୍ତ ୨୨୪ ବିଧାୟକ, ୭୫ ବିଧାନ ପରିଷଦ ସଦସ୍ୟ , ୨୮ ଲୋକସଭା ସାଂସଦ ଓ ୧୨ ଜଣ ରାଜ୍ୟସଭା ସାଂସଦଙ୍କୁ ୩ଟି ଲେଖାଏଁ ଭିଆଇପି ପାସ୍‌ ଦେବାକୁ ଦାବି କରିଥିଲେ।

You might also like