ବୁଧବାର ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି, ୬ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ବୁଧବାର ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ତିଥିରେ ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ଅନୁଷ୍ଠିତ ହେବ। ଏହି ନୀତିକୁ ଦୃଷ୍ଟିରେ ରଖି ଅପରାହ୍ନ ୫ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।ମଧ୍ୟାହ୍ନ ଧୂପ ଉଠିବା ପରେ ଜୟବିଜୟ ଦ୍ୱାର ବନ୍ଦ ହୋଇ ଭିତର ଚନ୍ଦନ ଅର୍ଗଳିରେ ପୂଜାପଣ୍ଡା ପଞ୍ଚବର୍ଣ୍ଣ ମୁରୁଜରେ ମଣ୍ଡଳ ଅଙ୍କନ ହେବ। ତିନି ବାଡ଼ରେ ବନ୍ଦାପନା ପରେ କଳସ ବରୁଣ ପୂଜା ସମ୍ପନ୍ନ ହୋବ। ପତିମହାପାତ୍ର ଓ ମୁଦିରସ୍ତ ଥାଇ ଆଚାର୍ଯ୍ୟ ବରଣ ହୋଇ ଦକ୍ଷିଣ ଘରେ ଭୋଗ ଶେଷ ପରେ କୃଷ୍ଣ (ବାମନ)ଙ୍କୁ ଭିତର ସିଂହାସନକୁ ବିଜେ କରାଯିବ। ମୁଦିରସ୍ତ ଶ୍ରୀଅଙ୍ଗରେ ଧଣ୍ଡିପ୍ରସାଦ ଲାଗି କରିବା ପରେ କୃଷ୍ଣଙ୍କୁ ସର୍ବତ୍ର ଭଦମଣ୍ଡଳ ଉପରେ ବିଜେ କରାଯିବ। ଏକ କ୍ଷୁଦ୍ରାକୃତି ସୁବର୍ଣ୍ଣ ବାମନ ପ୍ରତିମାଙ୍କୁ ପଞ୍ଚାମୃତରେ ମହାସ୍ନାନ କରି ଶୀତଳ ଭୋଗ କରାଯାଇ ଗର୍ଭ ଉଦକ ଲାଗି ପଞ୍ଚ ଉପଚାରରେ ପୂଜା କରାଯିବ। ଖଣ୍ଡୁଆ ଘୋଡ଼ାଇ ଜନ୍ମବିଧି ନୀତି ସମ୍ପନ୍ନ ହେବ। ତେବେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଶ୍ରୀରାମ ଜନ୍ମ ଓ ଶ୍ରୀକୃଷ୍ଣ ଜନ୍ମ ନୀତି ଭଳି ବାମନ ଜନ୍ମ ନୀତି ମଧ୍ୟ ସ୍ୱତନ୍ତ୍ର ବିଧିବିଧାନ ଅନୁସାରେ ପାଳିତ ହୋଇଥାଏ।ବାମନ ରୂପରେ ମହାପ୍ରଭୁଙ୍କ ଦର୍ଶନର ବିଶେଷ ମହତ୍ତ୍ୱ ରହିଥିବା ଭକ୍ତମାନଙ୍କ ମଧ୍ୟରେ ବିଶ୍ୱାସ ରହିଛି।

You might also like