ବିଶ୍ବ ପ୍ରସିଦ୍ଧ ହୀରାକୁଦ ନଦୀବନ୍ଧର ମୋଟ ଜଳଧାରଣ କ୍ଷମତାର ୧.୮୨ ମିଲିୟନ ଏକର ଫୁଟ ହ୍ରାସ
ଭୁବନେଶ୍ୱର , ରାଜ୍ୟ କାହାଣୀ ଆଧୁନିକ ଭାରତର ମନ୍ଦିର ରୂପେ ପରିଗଣିତ ବିଶ୍ବ ପ୍ରସିଦ୍ଧ ହୀରାକୁଦ ନଦୀବନ୍ଧର ମୋଟ ଜଳଧାରଣ କ୍ଷମତା ଇତିମଧ୍ୟରେ ୧.୮୨ ମିଲିୟନ ଏକର ଫୁଟ ହ୍ରାସ ପାଇଛି। ଜଳ ସମ୍ପଦ ମନ୍ତ୍ରଣାଳୟ ନିଜ ଅଧିନରେ ରଖିଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମାନ୍ୟବର ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ଲିଖିତ ଭାବେ ଏହି ତଥ୍ୟ ପ୍ରଦାନ କରିଛନ୍ତି। ମୂଳ ପ୍ରକଳ୍ପ ରିପୋର୍ଟ ୧୯୫୭ ଅନୁସାରେ ଏହି ନଦୀବନ୍ଧର ମୃତ ସ୍ତର, ଜୀବନ୍ତ ସ୍ତର ଓ ସର୍ବମୋଟ ଜଳଧାରଣ କ୍ଷମତା ଯଥାକ୍ରମେ ୧.୮୮, ୪.୭୨ ଏବଂ ୬.୬୦ ମିଲିୟନ ଏକର ଫୁଟ। ସେହିପରି ୨୦୦୦ ମସିହା ଆକଳନ ଅନୁସାରେ ଏହି ବହୁମୁଖି ଜଳଭଣ୍ଡାରର ଜଳଧାରଣ କ୍ଷମତା ଯଥାକ୍ରମେ ୦.୮୭, ୩.୯୧ ଏବଂ ୪.୭୮ ମିଲିୟନ ଏକର ଫୁଟ। ମାନ୍ୟବର ମୁଖ୍ୟମନ୍ତ୍ରୀ ଲିଖିତ ଭାବେ ପ୍ରଦାନ କରିଥିବା ତଥ୍ୟ ମୁତାବକ ଇତିମଧ୍ଯରେ ଏହି ନଦୀବନ୍ଧର ମୃତସ୍ତରର ଜଳଧାରଣ କ୍ଷମତା ୧.୦୧ ମିଲିୟନ ଏକର ଫୁଟ ହ୍ରାସ ପାଇଥିବା ବେଳେ ଜୀବନ୍ତ ସ୍ତରରେ ଜଳଧାରଣ କ୍ଷମତା ୦.୮୧ ମିଲିୟନ ଏକର ଫୁଟ ହ୍ରାସ ପାଇଛି। ସର୍ବମୋଟ ଜଳଧାରଣ କ୍ଷମତା ୧.୮୨ ମିଲିୟନ ଏକର ଫୁଟ ହ୍ରାସ ପାଇଥିବା ମୁଖ୍ୟମନ୍ତ୍ରୀ ଲିଖିତ ଉତ୍ତରରେ ତଥ୍ୟ ରଖିଛନ୍ତି। ଏହି ବହୁମୁଖି ଜଳଭଣ୍ଡାରରେ ବିପୁଳ ପରିମାଣର ପଟୁ ମାଟି ଜମା ହେବାଯୋଗୁଁ ଏହିଭଳି ସଙ୍ଗୀନ ପରିସ୍ଥିତି ସୃଷ୍ଟି ହୋଇଛି। ପରିଣାମ ସ୍ବରୂପ ନଦୀବନ୍ଧର ଜଳଧାରଣ କ୍ଷମତା ହ୍ରାସ ପାଉଛି। ନଦୀବନ୍ଧରୁ ପଙ୍କ ଅପସାରଣ ସଂକ୍ରାନ୍ତ ସରକାରଙ୍କ ଯୋଜନା ସଂକ୍ରାନ୍ତରେ ମଧ୍ଯ ବିଧାୟକ ସୁଦର୍ଶନ ହରିପାଲ ପ୍ରଶ୍ନ କରିଥିଲେ, କିନ୍ତୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏ ସଂକ୍ରାନ୍ତରେ କୌଣସି ଉତ୍ତର କରିନାହାନ୍ତି। ରାଜ୍ୟ ସରକାର ଆଜିର ଡିଜିଟାଲ ଯୁଗରେ ହୀରାକୁଦ ବିସ୍ଥାପିତଙ୍କ ଡିଜିଟାଲ ଡାଟାବେସ ପ୍ରସ୍ତୁତ କରିଛନ୍ତି କି ବୋଲି ବିଧାୟକ ହରିପାଲ ପ୍ରଶ୍ନ କରିଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ଡାଟାବେସ ପ୍ରସ୍ତୁତ କରାଯାଇ ନାହିଁ ବୋଲି ଲିଖିତ ଉତ୍ତର ରଖିଛନ୍ତି।