ବାତ୍ୟା ନୁହେଁ, ଆସୁଛି ବଡ଼ ବର୍ଷା!: ମୁଖ୍ୟ ଶାସନ ସଚିବ

ଭୁବନେଶ୍ଵର (ରାଜ୍ୟ କାହାଣୀ )ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ସୋମବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତ ରୂପ ନେଇଛି। ଫଳରେ ବାତ୍ୟା ଆଶଙ୍କ ଥିବା ଚର୍ଚ୍ଚା ହେଉଛି। ତେବେ ଲଘୁଚାପ ବାତ୍ୟାର ରୂପ ନେବ ନାହିଁ, ବରଂ ଏହା ଗଭୀର ଅବପାତରେ ପରିଣତ ହୋଇ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା କରାଇବ। ଏହି ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ପରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିଗୁଡ଼ିକ ସମ୍ପର୍କରେ ସୂଚନା ଦିଆଯାଇଛି।୧୧ଟି ଜିଲା ଉପରେ ଏହାର ପ୍ରଭାବ ପଡ଼ିବ। କାଲିଠୁ ବର୍ଷା ଆରମ୍ଭ ୨୩ ଓ ୨୪ରେ ପ୍ରବଳ ବର୍ଷିବ। ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର ଜିଲାର ଜିଲାପାଳମାନଙ୍କୁ ଆଲର୍ଟ ରହିବାକୁ କୁହାଯାଇଛି। ଇନ୍ଦ୍ରାବତୀରେ ଏବଂ ତେଲିଙ୍ଗିରି ଡ୍ୟାମରେ ପାଣି କମାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ ବୋଲି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ପୁରୀରୁ ଦକ୍ଷିଣକୁ ଥିବା ଜିଲାଗୁଡ଼ିକ ସବୁଠାରୁ ବେଶୀ ପ୍ରଭାବିତ ହେବ।ପରିସ୍ଥିତିକୁ ଦୃଷ୍ଟିରେ ରଖି ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର ସମସ୍ତ ଜିଲ୍ଲାପାଳମାନଙ୍କୁ ସଜାଗ ଓ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ଜିଲ୍ଲାରେ ଜରୁରୀକାଳୀନ କଣ୍ଟ୍ରୋଲ ରୁମ୍ ଖୋଲିବାକୁ କୁହାଯାଇଥିବା ବେଳେ ଏସଆରସି (SRC) ଅଫିସରେ ଆଜିଠାରୁ ହିଁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ପରିଚାଳନା ଆରମ୍ଭ ହୋଇଯାଇଛି।ଆଞ୍ଚଳିକ ପାଣିପାଗ ବିଭାଗ ତଥ୍ୟ ଅନୁଯାୟୀ, ସୋମବାର ୧୮ ଜିଲାରେ ଝଡ଼ବର୍ଷା ହେବା ନେଇ ଆକଳନ କରାଯାଇଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାକୁ ପ୍ରବଳ ଝଡ଼ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ସେହିପରି ନୂଆପଡ଼ା, କଳାହାଣ୍ଡି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲାକୁ ଘଡଘଡି ସହ ଝଡ଼ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଦିଆଯାଇଛି।

You might also like