ବଲାଙ୍ଗିରରେ ନୂଆଖାଇ ଲଗ୍ନ ଧାର୍ଯ୍ୟ , ସେପ୍ଟେମ୍ବର ୧୫ରେ ହେବ ନବାନ୍ନ ଲାଗି
ଭୁବନେଶ୍ୱର (ରାଜ୍ୟ କାହାଣୀ )ଆଜି ବଲାଙ୍ଗୀରରେ ନୂଆଁଖାଇ ଲଗ୍ନ ଧାର୍ଯ୍ୟ । ଆସନ୍ତା ଭାଦ୍ରବ ଶୁକ୍ଳ ପଞ୍ଚମୀ ତିଥି ସେପ୍ଟେମ୍ବର ୧୫ ତାରିଖ ମଙ୍ଗଳବାର ସକାଳ ୯ଟା ୩୬ ମିନିଟରୁ ଦିନ ୧୦ଟା ୧୦ ମିନିଟରେ ମଧ୍ୟରେ ମାଆ ପାଟଣେଶ୍ୱରୀ,ମାଆ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିହେବ । ପରେ ବଲାଙ୍ଗିର ଜିଲାର ଲୋକେ ନୂଆ ଖାଇବେ ବୋଲି ରାଜ ପୁରୋହିତ ସନ୍ତୋଷ କୁମାର ଦାସ ସୂଚନା ଦେଇଛନ୍ତି । ଏନେଇ ଶୈଳଶ୍ରୀ ପ୍ୟାଲେସରେ ଜ୍ୟୋତିର୍ବିଦ ଓ ପଣ୍ଡିତ ମହାସଭାର ସଦସ୍ୟଙ୍କୁ ନେଇ ଲଗ୍ନ ସ୍ଥିର କରାଯାଇଛି । ନୂଆଖାଇ ଏକ ଗଣପର୍ବ । ଗ୍ରାମ ବା ସହରର ପଡ଼ା ଅଞ୍ଚଳରେ ନୂଆଖାଇ ଦିନ ନବାନ୍ନ ଦେଇ ପୂଜା ବିଧି ସମାପ୍ତ ହେବା ପରେ ପରିବାରର ମୁଖ୍ଯଙ୍କ ହାତରୁ ସମସ୍ତେ ନବାନ୍ନ ଭୋଗ ଗ୍ରହଣ କରନ୍ତି । ତାହା ଖାଇ ସାରି ପରିବାରର ସମସ୍ତ ବ୍ୟକ୍ତି ନିଜର ବୟସ୍କମାନଙ୍କୁ ଭୂମିଷ୍ଠ ପ୍ରଣାମ ସହ ଆଶୀର୍ବାଦ ଗ୍ରହଣ କରନ୍ତି । ପରେ ପିଠା ପଣା ସହ ନବାନ୍ନ ଭୋଜି ଖାଇ ସାରି ଗ୍ରାମ ବା ପଡ଼ୋଶୀରେ ଥିବା ସମସ୍ତ ବୟୋଜ୍ୟେଷ୍ଠ ମାନଙ୍କୁ ଭେଟି ପ୍ରଣାମ କରିଥାନ୍ତି ।