ବର୍ଷକ ପାଇଁ H-1B ଭିସା ଫି’ ଉପରେ ଭାରି ପରିମାଣର ବୃଦ୍ଧି
ଆମେରିକାରେ ଚାକିରି କରିବାକୁ ଆଶା ରଖିଥିବା ଭାରତୀୟ ପେସାଦାରଙ୍କ ପାଇଁ H-1B ଭିସାକୁ ନେଇ ଆଉ ଏକ ବଡ଼ ପରିବର୍ତ୍ତନ ଆସିଛି ।ଟ୍ରମ୍ପ ପ୍ରଶାସନ ଏଚ-୧ବି ଭିସା ପାଇଁ ୧ ଲକ୍ଷ ଆମେରିକୀୟ ଡଲାର ଫି ଲାଗୁ କରିଛି। ଆଉ ଏହା ୧୨ ମାସ ପାଇଁ ବଢ଼ାଯାଇଛି । ନୂଆ ଘୋଷଣା ଅନୁସାରେ ଏହି କଟକଣା ୨୦୨୭ ସେପ୍ଟେମ୍ବର ୨୧ ପର୍ଯ୍ୟନ୍ତ ଜାରି ରହିବ । ଏହି ନିଷ୍ପତ୍ତିକୁ ନେଇ ଆମେରିକାର ଅଦାଲତରେ ମାମଲା ମଧ୍ୟ ଚାଲିଛି। ପୂର୍ବରୁ ଜାରି ହୋଇଥିବା ଟ୍ରମ୍ପ ପ୍ରଶାସନର ଆଦେଶ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ଲାଗୁ ଥିଲା। ଏବେ ଏହି ଫି’କୁ ନେଇ ପ୍ରଶାସନର ପଦକ୍ଷେପ ଆମେରିକାରେ କାମ କରିବାକୁ ଚାହୁଁଥିବା ବିଦେଶୀ ପେସାଦାରଙ୍କ ପାଇଁ ବଡ଼ ପ୍ରଭାବ ପକାଇପାରେ। ଏଚ-୧ବି ଭିସାଧାରୀଙ୍କ ମଧ୍ୟରେ ଭାରତୀୟଙ୍କ ସଂଖ୍ୟା ବହୁତ ଅଧିକ। USCIS ତଥ୍ୟ ଅନୁସାରେ, ୨୦୨୪ରେ ଆମେରିକାର ଏଚ-୧ବି ଭିସାଧାରୀଙ୍କ ମଧ୍ୟରୁ ପ୍ରାୟ ୭୧ ପ୍ରତିଶତ ଭାରତୀୟ ଥିଲେ। ଚୀନ ନାଗରିକଙ୍କ ଅଂଶ ପ୍ରାୟ ୧୨ ପ୍ରତିଶତ ଥିଲା। ଏହି କାରଣରୁ ଏଚ-୧ବି ଭିସା ଫିରେ ବଡ଼ ପରିବର୍ତ୍ତନ ଭାରତୀୟ ପେସାଦାରଙ୍କ ଉପରେ ଅଧିକ ପ୍ରଭାବ ପକାଇପାରେ।