ବନ୍ୟା ପ୍ରଭାବିତ 4 ଜିଲ୍ଲାକୁ ତୁରନ୍ତ ଅତିରିକ୍ତ ରିଲିଫ୍‌ ଚାଉଳ ଯୋଗାଣ ନିର୍ଦ୍ଦେଶ

ଭୁବନେଶ୍ୱର (ରାଜ୍ୟ କାହାଣୀ )ପ୍ରବଳ ବର୍ଷା ଓ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ତୁରନ୍ତ ଅତିରିକ୍ତ ରିଲିଫ୍‌ ଚାଉଳ ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର (ଏସ୍‌ଆର୍‌ସି) ରାଜେଶ ପ୍ରଭାକର ପାଟିଲ ।ଏସ୍‌ଆର୍‌ସି ରାଜେଶ ପ୍ରଭାକର ପାଟିଲଙ୍କ ପକ୍ଷରୁ ଜାରି ହୋଇଥିବା ଚିଠିରେ ଦର୍ଶାଯାଇଛି, “ଲଗାଣ ବର୍ଷା ଯୋଗୁଁ ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର ବଢ଼ିବାରୁ ଏକାଧିକ ତଳିଆ ଗ୍ରାମ ପଞ୍ଚାୟତ ଓ ଗାଁ ଜଳମଗ୍ନ ହୋଇଛି । ଅନେକ ଅଞ୍ଚଳର ଲୋକେ ଜଳବନ୍ଦୀ ହୋଇଥିବାବେଳେ ଜନଜୀବନ ପ୍ରଭାବିତ ହୋଇଛି । ଏହା ସହିତ ସ୍ଥାନୀୟ ଅଞ୍ଚଳରେ ଖାଦ୍ୟ ଯୋଗାଣ ମଧ୍ୟ ବାଧାପ୍ରାପ୍ତ ହୋଇଛି । ବନ୍ୟା ପ୍ରଭାବିତ ଅଞ୍ଚଳରେ ଏବେ ସାମୂହିକ ରୋଷେଇ କେନ୍ଦ୍ର ଓ ଜରୁରୀକାଳୀନ ଖାଦ୍ୟ ବଣ୍ଟନ ବ୍ୟବସ୍ଥା ଜାରି ରହିଛି । ଅସ୍ଥାୟୀ ଆଶ୍ରୟସ୍ଥଳୀରେ ରନ୍ଧା ଖାଦ୍ୟ ଯୋଗାଣ ଏବଂ ଜଳବନ୍ଦୀ ଅଞ୍ଚଳରେ ଚାଉଳ ବଣ୍ଟନ ବନ୍ୟା ପରିସ୍ଥିତି ସୁଧୁରିବା ଓ ବିସ୍ଥାପିତ ପରିବାର ଗୁଡ଼ିକ ନିରାପଦରେ ଘରକୁ ଫେରିବା ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବେ ଜାରି ରଖିବାକୁ କୁହାଯାଇଛି ।ଅନ୍ୟପକ୍ଷରେ, ପ୍ରଭାବିତ ଜିଲ୍ଲାଗୁଡ଼ିକୁ ଚାଉଳ ପଠାଇବାରେ ଯେପରି କୌଣସି ବିଳମ୍ବ ନହୁଏ, ସେଥିପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ ପ୍ରାଥମିକତା ଭିତ୍ତିରେ ଚାଉଳ ମହଜୁଦ ଯୋଗାଇବାକୁ କୁହାଯାଇଛି । ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ଏସ୍‌ଆର୍‌ସିଙ୍କ ନିର୍ଦ୍ଦେଶର ନକଲ ଓଡ଼ିଶା ରାଜ୍ୟ ନାଗରିକ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ସଚିବଙ୍କୁ ପଠାଯାଇଛି |ପ୍ରଭାବିତ ଲୋକଙ୍କ ଖାଦ୍ୟ ସୁରକ୍ଷା ଓ ପୁଷ୍ଟି ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅତିରିକ୍ତ ରିଲିଫ୍‌ ଚାଉଳର ତୁରନ୍ତ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ପ୍ରତ୍ୟେକ ପ୍ରାପ୍ତବୟସ୍କଙ୍କ ପାଇଁ ଦୈନିକ ୧ କିଲୋଗ୍ରାମ ଏବଂ ୧୨ ବର୍ଷରୁ କମ୍‌ ଶିଶୁଙ୍କ ପାଇଁ ଦୈନିକ ୫୦୦ ଗ୍ରାମ ହିସାବରେ ଚାଉଳ ବଣ୍ଟନ କରାଯିବ।

You might also like