ବନ୍ୟା ଋତୁ ପାଇଁ କଟକଣା, ଜଳସମ୍ପଦ ବିଭାଗ ଛୁଟି ଉପରେ ଲାଗିଲା ରୋକ୍
ଭୁବନେଶ୍ୱର (ରାଜ୍ୟକାହାଣୀ )ବନ୍ୟା ଋତୁ ଏବଂ ମୌସୁମୀ ସମୟରେ ଜଳସମ୍ପଦ ବିଭାଗ ଅଧିକାରୀଙ୍କ ଛୁଟି ଉପରେ କଟକଣା ଲଗାଯାଇଛି । ବିନା ଅନୁମତିରେ ସେମାନେ ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ । ଜରୁରୀ ପରିସ୍ଥିତି ଏବଂ ବନ୍ୟା ମୁକାବିଲା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ଜଳ ସମ୍ପଦ ବିଭାଗର ଅଧିକାରୀଙ୍କ ପାଇଁ କଟକଣା ଲାଗୁ କରିଛନ୍ତି ସରକାର ।ଜଳସମ୍ପଦ ବିଭାଗର ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ବନ୍ୟା ଋତୁ ପୂର୍ବ ପ୍ରସ୍ତୁତି ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ବୈଠକରେ ବନ୍ୟା ପରିଚାଳନା, ନଦୀବନ୍ଧ ସୁରକ୍ଷା, ଜଳାଶୟ ପରିଚାଳନା ଓ କ୍ଷେତ୍ରସ୍ତରରେ ଆପାତକାଳୀନ ସେବା ପ୍ରଦାନକୁ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ନିର୍ଦ୍ଦେଶନାମା ଅନୁସାରେ, ବନ୍ୟା ଓ ମୌସୁମୀ ବର୍ଷା ଋତୁରେ ସମସ୍ତ ଅଧିକାରୀ ସତର୍କ ରହିବେ ଏବଂ କର୍ତ୍ତୃପକ୍ଷଙ୍କ ପୂର୍ବ ଅନୁମତି ବିନା ମୁଖ୍ୟାଳୟ ଛାଡ଼ି ପାରିବେ ନାହିଁ। ବନ୍ୟା, ଘାଇ ସୃଷ୍ଟି, ଜଳାଶୟରୁ ଜଳ ନିଷ୍କାସନ କିମ୍ବା ଅନ୍ୟ କୌଣସି ଜରୁରୀ ପରିସ୍ଥିତିରେ ତୁରନ୍ତ ପଦକ୍ଷେପ ଗ୍ରହଣ ନିମନ୍ତେ ଅଧିକାରୀମାନଙ୍କ ଉପସ୍ଥିତି ସୁନିଶ୍ଚିତ କରିବାକୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।ସମ୍ପ୍ରତି ବନ୍ୟା, ଘୂର୍ଣ୍ଣିଝଡ଼ ଯୋଗୁଁ କ୍ଷତିଗ୍ରସ୍ତ ବନ୍ଧର ସ୍ଥାୟୀ ପୁନରୁଦ୍ଧାର କାର୍ଯ୍ୟ ସମାପ୍ତ କରିବା ପାଇଁ ପଦକ୍ଷେପ ନିଆଯାଇଛି । ଜଳାଶୟ ପରିଚାଳନା ଉପରେ ଫୋକସ ଦିଆଯାଇଛି । ପୁନରାବୃତ୍ତିକୁ ଏଡାଇବା ପାଇଁ ସମ୍ବେଦନଶୀଳ ସ୍ଥାନଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ସହ ସତର୍କତା ଅବଲମ୍ବନ କରିବାକୁ ଚିଠିରେ ଉଲ୍ଲେଖ ରହିଛି । ସେହିପରି ନଦୀବନ୍ଧ ଗୁଡିକ ଯାଞ୍ଚ କରାଯିବ । ପ୍ରଭାବିତ ସ୍ଥାନଗୁଡ଼ିକୁ ଆବଶ୍ୟକୀୟ ନିର୍ମାଣ ସାମଗ୍ରୀ ଶୀଘ୍ର ପଠାଇବା ପାଇଁ କୁହାଯାଇଛି । ବନ୍ଧ ଏବଂ ବ୍ୟାରେଜର ମକ୍ ଡ୍ରିଲ୍ ଉପରେ ଗୁରୁତ୍ୱ ଦିଆଯାଇଛି । ଆବଶ୍ୟକ ସମୟରେ ସମସ୍ତ ଯନ୍ତ୍ରପାତି ଏବଂ ଉପକରଣ ସଠିକ୍ ଭାବରେ ନିଶ୍ଚିତ କରିବା ପାଇଁ ସମସ୍ତ ପ୍ରମୁଖ ଏବଂ ମଧ୍ୟମ ପ୍ରକଳ୍ପର ମକ୍ ଡ୍ରିଲ୍ ସମାପ୍ତ ହୋଇଛି । ଡ୍ରେନେଜ୍ ନିଷ୍କାସନ ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଛି ।