ବଢ଼ିଲା କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ଅଡୁଆ। ରହିତାଦେଶ ହଟାଇଦେଲେ ହାଇକୋର୍ଟ
ଭୁବନେଶ୍ଵର (ରାଜ୍ୟ କାହାଣୀ) ବଳାତ୍କାର ଅଭିଯୋଗ ନେଇ ରୁଜୁ ମାମଲାରେ କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ଅଡ଼ୁଆ ବଢ଼ିଯାଇଛି । ନିମ୍ନ ଅଦାଲତରେ ବାରମ୍ବାର ସମୟ ନେଇ ହାଜର ନହେବାରୁ ହାଇକୋର୍ଟ ବିରକ୍ତ ପ୍ରକାଶ କରି ନିମ୍ନ ଅଦାଲତଙ୍କ ପକ୍ଷରୁ ସୌରିନ୍ ଭଟ୍ଟଙ୍କ ବିରୋଧରେ ଲାଗୁ ହୋଇଥୁବା ଜାମିନ୍ ବିହୀନ ପରୱାନା( NBW) ଉପରେ ହାଇକୋର୍ଟ ଜାରି କରିଥିବା ରହିତାଦେଶକୁ ହଟାଇ ଦେଇଛନ୍ତି। ଅଦାଲତରେ କିପରି ସୌରିନ୍ ଭଟ୍ଟ ହାଜର ହେବେ ସେନେଇ ନିମ୍ନ ଅଦାଲତ ଦୃଢ଼ ପଦକ୍ଷେପ ନେବେ ବୋଲି ମାମଲାର ବିଚାର କରି ହାଇକୋର୍ଟ ନିର୍ଦେଶ ଦେଇଛନ୍ତି।ଜଣେ ଯୁବତୀଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇ ବଳାତ୍କାର କରିବା ଓ ତାଙ୍କଠାରୁ ଲକ୍ଷାଧିକ ଟଙ୍କା ନେଇ ନଫେରାଇବା ନେଇ କଟକ ମହିଳା ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ସୌରିନ୍ ଭଟ୍ଟ ଆଗୁଆ ଜାମିନ୍ ପାଇଁ ଆବେଦନ କରିଥିଲେ । ମାତ୍ର କିଛି ଦିନ ପର୍ଯ୍ୟନ୍ତ ହାଇକୋର୍ଟ ଅନ୍ତରୀଣ ସୁରକ୍ଷା ଦେବା ପରେ ଆଗୁଆ ଜାମିନ୍ ଆବେଦନକୁ ହଟାଇ ନେଇଥିଲେ । ଏହାପରେ ସୌରିନ୍ ଭଟ୍ଟ ଆଉ ମହିଳା ଥାନାରେ ହାଜର ହୋଇନଥିଲେ । ତାଙ୍କୁ ଖୋଜିବା ପାଇଁ ମହିଳା ଥାନା ପୁଲିସ ଏକାଧିକ ବାର କୋଲକତା ମଧ୍ୟ ଯାଇଛି । ସେଠାରେ ତାଙ୍କ ପୈତୃକ ଘରେ ନୋଟିସ୍ ଦେଇ ଆସିଛି । ତାହା ପରେ ବି ସେ ହାଜର ହେଲେନି । ପରେ କଟକ ପୁଲିସ କ୍ରାଇମବ୍ରାଞ୍ଚ ଜରିଆରେ ରେଡ୍ କର୍ଣ୍ଣର ନୋଟିସ୍ ଜାରି କରିଥିଲା ।ଗତ ୨୦ତାରିଖ ପୂର୍ବରୁ ସେ ନିମ୍ନ ଅଦାଲତରେ ଆତ୍ମ ସମର୍ପଣ କରିବେ ବୋଲି ତାଙ୍କ ଓକିଲ ହାଇକୋର୍ଟଙ୍କୁ ଅବଗତ କରିଥିଲେ। ତେବେ ସେ ହାଜର ନହେବାରୁ ହାଇକୋର୍ଟ ପୂର୍ବରୁ ଜାରି କରିଥିବା ରହିତାଦେଶକୁ ହଟାଇ ଦେଇଛନ୍ତି।