ପ୍ରକାଶ ପାଇଲା ଚୂଡାନ୍ତ ଭୋଟର ତାଲିକା , କଟିଲା ୨୦ ଲକ୍ଷ ଭୋଟରଙ୍କ ନାଁ

ଭୁବନେଶ୍ୱର (ରାଜ୍ୟ କାହାଣୀ )ଓଡ଼ିଶାରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ (SIR) ର ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ରାଜ୍ୟରେ ମୋଟ ଭୋଟରଙ୍କ ସଂଖ୍ୟା ୩ କୋଟି ୧୬ ଲକ୍ଷ ୩୨ ହଜାର ୭୫୪ରେ ପହଞ୍ଚିଛି। ତେବେ ଯାଞ୍ଚ ପ୍ରକ୍ରିୟା ସମୟରେ ତାଲିକାରୁ ୨୦ ଲକ୍ଷରୁ ଅଧିକ ଭୋଟରଙ୍କ ନାମ ବାଦ୍ ଦିଆଯାଇଛି।ସିଇଓଙ୍କ ସୂଚନା ଅନୁଯାୟୀ, SIR ପ୍ରକ୍ରିୟା ପୂର୍ବରୁ ରାଜ୍ୟରେ ମୋଟ ୩,୩୩,୯୯,୫୯୧ ଜଣ ଭୋଟର ଥିଲେ। ତେବେ ଡ୍ରାଫ୍ଟ ରୋଲ୍‌ ପୂର୍ବରୁ ୨୦,୧୨,୫୫୭ ଜଣ ଏବଂ ଡ୍ରାଫ୍ଟ ପରେ ୪୪,୭୭୭ ଜଣଙ୍କୁ ମିଶାଇ ସର୍ବମୋଟ ୨୦,୫୭,୩୩୪ ଜଣଙ୍କ ନାମ ବାଦ୍‌ ପଡ଼ିଛି। ଗତ ଜୁଲାଇ ୫, ୨୦୨୬ରେ ପ୍ରକାଶିତ ଡ୍ରାଫ୍ଟ ରୋଲ୍‌ରେ ଭୋଟର ସଂଖ୍ୟା ୩ କୋଟି ୧୩ ଲକ୍ଷ ୮୭ ହଜାର ୦୩୪ ଥିଲା। ଏହାପରେ ଆସିଥିବା ଦାବି ଓ ଆପତ୍ତିର ଶୁଣାଣି କରାଯାଇ ନୂତନ ଭାବେ ୨,୯୦,୪୯୭ ଜଣଙ୍କ ନାମ ଯୋଡ଼ାଯାଇଥିବା ବେଳେ ୪୪,୭୭୭ ଜଣଙ୍କ ନାମ କଟାଯାଇଥିଲା। ଫଳରେ ଡ୍ରାଫ୍ଟରୁ ଚୂଡ଼ାନ୍ତ ତାଲିକା ମଧ୍ୟରେ ନିଟ୍‌ ୨,୪୫,୭୨୦ ଜଣ ନୂଆ ଭୋଟର ବୃଦ୍ଧି ପାଇଛନ୍ତି।ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଥିଲେ ହେଁ ନାଁ ଯୋଡ଼ିବା, ସଂଶୋଧନ ଓ ବାଦ୍‌ ଦେବା କାର୍ଯ୍ୟ ନିରନ୍ତର ଚାଲୁରହିବ। ନୂଆ ନାଁ ଯୋଡ଼ିବା ପାଇଁ ଫର୍ମ-୬/୬A ରହିଛି। ନାଁ କାଟିବା ପାଇଁ ଫର୍ମ-୭ ମିଳିବ।ବିବରଣୀ ସଂଶୋଧନ ପାଇଁ ଫର୍ମ-୮ ବ୍ୟବହାର କରିପାରିବେ। ଯଦି କୌଣସି ନାଗରିକ ଇଲେକ୍ଟୋରାଲ ରେଜିଷ୍ଟ୍ରେସନ ଅଫିସର (ERO)ଙ୍କ ନିଷ୍ପତ୍ତିରେ ଅସନ୍ତୁଷ୍ଟ ହୁଅନ୍ତି, ତେବେ ସେ ପ୍ରଥମ ପିଲ୍‌ ଜିଲ୍ଲା ନିର୍ବାଚନ ଅଧିକାରୀ (DEO)/ଜିଲ୍ଲାପାଳଙ୍କ ନିକଟରେ କରିପାରିବେ। ସେଠାରେ ସମାଧାନ ନହେଲେ ଦ୍ୱିତୀୟ ଆପିଲ୍‌ ମୁଖ୍ୟ ନିର୍ବାଚନ ଅଧିକାରୀ (CEO)ଙ୍କ ନିକଟରେ କରାଯାଇପାରିବ।

You might also like