ପୋଷ୍ଟିଂ ଅର୍ଡର ବିଳମ୍ବ: ଆଦାୟ ହେବ ବେତନ
ରାଜ୍ୟ କାହାଣୀ ( ଭୁବନେଶ୍ଵର)ସରକାରୀ କର୍ମଚାରୀଙ୍କ ପୋଷ୍ଟିଂ ଅର୍ଡର ବିଳମ୍ବକୁ ନେଇ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ବିଳମ୍ବ ପାଇଁ ଦାୟୀ ଅଧିକାରୀଙ୍କ ଠାରୁ ଆଦାୟ କରାଯିବ ନିଷ୍କ୍ରିୟ ବେତନ । ବିଳମ୍ବ ଯୋଗୁଁ ଯେଉଁ ବେତନ ଅପଚୟ ହେବ ତାହା ସଂପୃକ୍ତ ଅଧିକାରୀ ଦେବେ । ଏନେଇ ସର୍କୁଲାର ଜାରି କରି ସଚିବମାନଙ୍କୁ ନିର୍ଦ୍ଦେଶ ଦେଲା ଅର୍ଥ ବିଭାଗ । ୧୨୦ ଦିନ ଓ ୬ ମାସରୁ ଅଧିକ ସମୟ ବୃଦ୍ଧି ପ୍ରସ୍ତାବକୁ ମନା କଲେ ସରକାର ।ସରକାରୀ ନିୟମ ଅନୁଯାୟୀ, ନୂତନ ସ୍ଥାନରେ ଯୋଗଦାନ ପାଇଁ ସର୍ବାଧିକ ୧୨୦ ଦିନ ପର୍ଯ୍ୟନ୍ତ ସମୟ ବୃଦ୍ଧିକୁ ପ୍ରଶାସନିକ ବିଭାଗମାନେ ଅନୁମୋଦନ କରିପାରନ୍ତି । କିନ୍ତୁ ଅର୍ଥ ବିଭାଗର ଦୃଷ୍ଟିକୁ ଆସିଛି ଯେ, ଅନେକ ମାମଲାରେ ପୋଷ୍ଟିଂ ଅର୍ଡର ଓ ଯୋଗଦାନ ସମ୍ବନ୍ଧୀୟ ଫାଇଲ ବିଭିନ୍ନ ସ୍ତରରେ ଅନାବଶ୍ୟକ ଭାବେ ଅଟକି ରହୁଛି । ଏହାର ଫଳରେ ୬ ମାସ କିମ୍ବା ତାଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଯୋଗଦାନ ସମୟ ବୃଦ୍ଧି ପ୍ରସ୍ତାବ ଆସୁଛି । ସରକାର ଏହାକୁ ଗୁରୁତର ପ୍ରଶାସନିକ ତ୍ରୁଟି ଭାବେ ଦେଖିଛନ୍ତି । ବିଶେଷ କରି ଅଡିଟରେ ଏହା ଉପରେ ଆପତ୍ତି ଉଠିଛି । କାର୍ଯ୍ୟ ନକରି କର୍ମଚାରୀଙ୍କୁ ବେତନ ପ୍ରଦାନ ହେଉଥିବା ଘଟଣାକୁ ଆର୍ଥିକ ଅନିୟମିତତା ଭାବେ ଚିହ୍ନଟ କରାଯାଇଛି ।