ପୋଲିସର ଦାଦାଗିରି, ଆହତଙ୍କୁ ମେଡିକାଲ ନେବା ବଦଳରେ ମାଗୁଛି ଟଙ୍କା

ଭୁବନେଶ୍ୱର (ରାଜ୍ୟକାହାଣୀ )କୁକୁଡ଼ା ଗାଡ଼ିଠାରୁ ବଟି ନେବାକୁ ପୁଲିସ ବାୟା ହୋଇଥିଲା । ଏପରିକି ମାନବିକତା ଭୁଲି ଦୁର୍ଘଟଣାରେ ଆହତ ଜଣେ ଯୁବକଙ୍କୁ ପିସିଆର୍‌ରେ ନେବାକୁ ମନା କରିଦେଇଥିଲା । କେବଳ ମନା କରିନଥିଲା ଓଲଟି ଆହତ ଯୁବକଙ୍କୁ ମାଡ଼ ମାରିବାକୁ ଧମକ ଦେବା ସହ ତାଙ୍କଠାରୁ ପଇସା ଆଦାୟ କରିଥିବା ଜଣାପଡ଼ିଛି । ପୋଲିସ ଅଧିକାରୀ ଜଣକ ହେଉଛନ୍ତି ଭଦ୍ରକ ପାଟ୍ରୋଲିଂ ଦାୟିତ୍ୱରେ ରହିଥିବା ସ୍ପେସିଆଲ ପୋଲିସ ଅଫିସର ।ସୂଚନା ମୁତାବକ ଏକ କୁକୁଡ଼ା ଗାଡ଼ିଠାରୁ ବଟି ନେବାକୁ ପୋଲିସ ଗାଡ଼ିକୁ ଗୋଡ଼ାଇ ଭଦ୍ରକ ମଇତାପୁର ପାଖରେ ପହଞ୍ଚିଥିଲା । ସେହି ସମୟରେ ଅନ୍ୟଏକ କାର ବାଲେଶ୍ୱର ଅଭିମୁଖେ ଫେରୁଥିବା ବେଳେ କୁକୁଡ଼ା ଗାଡ଼ିଟି ବ୍ରେକ ମାରିବାରୁ ପଛରେ ଯାଉଥିବା ଏକ କାର ନିୟନ୍ତ୍ରଣ ହରାଇ କୁକୁଡ଼ା ଗାଡ଼ି ପଛପଟୁ ଧକ୍କା ମାରିଥିଲା । ଫଳରେ କାର ଭିତରେ ଡ୍ରାଇଭର ସମେତ ଅନ୍ୟ ଜଣେ ଯୁବକ ଗୁରୁତର ହୋଇଥିଲେ । ଉଭୟ ଚାପି ହୋଇ ରହିଥିଲେ । ହେଲେ ପାଟ୍ରୋଲିଂ କରୁଥିବା ପୋଲିସ କିଛି ଶୁଣି ନ ଥିଲେ । ବହୁ କଷ୍ଟରେ ସନ୍ତୋଷଙ୍କୁ ଉଦ୍ଧାର କରି ତାଙ୍କ ସହଯୋଗୀ ଜାତୀୟ ରାଜପଥ ସୁରକ୍ଷା ପାଚେରୀକୁ ଡେରାଇ ଦେଇଥିଲେ । ଆମ୍ବୁଲାନ୍ସ ଆସିବା ବିଳମ୍ବ ହେଉଛି,ତୁରନ୍ତ ଗୁରୁତର ଯୁବକଙ୍କୁ ପିସିଆର ଭ୍ୟାନରେ ମେଡିକାଲ ନିଅନ୍ତୁ ବୋଲି ନେହୁରା ହୋଇଥିଲେ ଯୁବକ । ହେଲେ ପିସିଆର ଭ୍ୟାନ ପୋଲିସ ଓଲଟି ତାଙ୍କୁ ନାଲି ଆଖି ଦେଖାଇଥିଲେ । ପୋଲିସର ଧମକ ଭିଡିଓ ଏବେ ଘୁରି ବୁଲୁଛି ।ସାହଯ୍ୟ ମାଗିଥିବା ଯୁବକଙ୍କୁ ଓଲଟି ଗାଡ଼ିରେ ବସ, ଥାନାକୁ ଚାଲ ବୋଲି କହି ହାତ ଉଠାଉ ମାରିବାକୁ ଧମକ ଦେଉଥିବା ଭିଡିଓରେ ସ୍ପଷ୍ଟ ଭାବେ ଜଣାପଡ଼ିଛି । ଏପରିକି ପୁଲିସ ବାବୁ ଜଣକ ଆମ ଗାଡ଼ିରେ ତେଲ ନାହିଁ, ଆମେ ଯାଇପାରିବୁ ନାହିଁ ବୋଲି କହିଥିଲେ । ଶନିବାର ଘଟଣା ସୋସିଆଲ ମିଡିଆକୁ ଆସିବା ପରେ ଏହାର ସତ୍ୟାସତ୍ୟ ନେଇ ତଦନ୍ତ କରିବାକୁ ଦାବି ହେଉଛି । ଯେଉଁ ପୁଲିସ ବାବୁ ଏଭଳି ଆଚରଣ ଦେଖାଇଛନ୍ତି ତାଙ୍କ ପ୍ରତି କି କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତାକୁ ଜିଲ୍ଲାବାସୀ ଅପେକ୍ଷା କରିଛନ୍ତି । । ଭିଡ଼ିଓ ଭାଇରାଲ ପରେ ଭଦ୍ରକ ଏସପି ମନୋଜ କୁମାର ରାଉତ ତଦନ୍ତ କରି ରିପୋର୍ଟ ଦେବାକୁ ଅତିରିକ୍ତ ଏସପିଙ୍କୁ ନିଦ୍ଦେର୍ଶ ଦେଇଛନ୍ତି ।

You might also like