ପୁଣି ଆସୁଛି ଲଘୁଚାପ, ଆଜିଠୁ ବଢ଼ିବ ବର୍ଷାର ପରିମାଣ
ଭୁବନେଶ୍ୱର (ରାଜ୍ୟ କାହାଣୀ )ପୁଣି ଆସୁଛି ଲଘୁଚାପ, ଆଜିଠୁ ବଢ଼ିବ ବର୍ଷାର ପରିମାଣ । ପ୍ରାୟ ସପ୍ତାହେ ଧରି ଗୁଳୁଗୁଳି ଓ ପ୍ରବଳ ଗରମ ପରେ ପୁଣି ବଦଳିପାରେ ପାଣିପାଗର ମିଜାଜ। ସକ୍ରିୟ ରହିଛି ମୌସୁମୀ ନିମ୍ନଚାପ ରେଖା । ସମୁଦ୍ରରୁ ଓଡ଼ିଶା ଆଡ଼କୁ ଆସୁଛି ପ୍ରଚୁର ଜଳୀୟବାଷ୍ପ। ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ। ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି।
ଲଘୁଚାପ ପ୍ରଭାବରେ ୧୨ ତାରିଖ ଯାଏ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଭାରି ବର୍ଷା ହୋଇପାରେ। ବୁଧବାର ବାଲେଶ୍ଵର, କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ଆଶଙ୍କା ଅଛି। ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବିକ୍ଷିପ୍ତ ବର୍ଷା ହୋଇପାରେ। ୧୦ ତାରିଖରେ କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଏହି ଦୁଇ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଅନୁଗୋଳ, ଢେଙ୍କାନାଳ, ରାୟଗଡ଼ା, କୋରାପୁଟ, ଗଜପତି, ଗଞ୍ଜାମ ଓ ପୁରୀରେ ପ୍ରବଳ ବର୍ଷା ଆଶଙ୍କା ଅଛି। କେବଳ ଏତିକି ନୁହେଁ, ସେପ୍ଟେମ୍ବର ୧୭ରୁ ୨୦ ମଧ୍ୟରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ନେଇ ବି ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରୁଛନ୍ତି ।