ପୀତବାସ ପଣ୍ଡା ହତ୍ୟା ମାମଲା, ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ସର୍ତ୍ତମୂଳକ ଜାମିନ
ଭୁବନେଶ୍ଵର (ରାଜ୍ୟ କାହାଣୀ) ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା । ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ସର୍ତ୍ତମୂଳକ ଜାମିନ।ପୀତବାସ ପଣ୍ଡା ହତ୍ୟା ମାମଲାରେ ବିକ୍ରମ ପଣ୍ଡାଙ୍କୁ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଭାବେ ଦର୍ଶାଯାଇଥିଲା । ତେବେ ଚୂଡ଼ାନ୍ତ ଚାର୍ଜସିଟ୍ରେ ବିକ୍ରମ ପଣ୍ଡାଙ୍କ ସମେତ ୧୪ ଜଣ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ଦଫା ବାଦ୍ ଦିଆଯାଇଛି ।ବିକ୍ରମ ପଣ୍ଡାଙ୍କ ସହ ପୂର୍ବତନ ମେୟର ପିଣ୍ଟୁ ଦାସ, ମଦନ ଦଳେଇ ଓ ମଳୟ ବିଷୋୟୀଙ୍କ ନାଁରୁ ମଧ୍ୟ ହତ୍ୟା ଦଫା ହଟାଯାଇଛି । ଏମାନଙ୍କ ବିରୋଧରେ ଏବେ କେବଳ ସଂଗଠିତ ଅପରାଧ ସମ୍ପର୍କିତ ବିଏନଏସ୍ର ଧାରା ୧୧୧ ଲାଗିଛି ।ଗତ ଜୁଲାଇ ୩୧ ତାରିଖରେ ଜାମିନ୍ ଆବେଦନର ଶୁଣାଣି ଶେଷ ହୋଇଥିବାବେଳେ ରାୟ ସଂରକ୍ଷିତ ଥିଲା। ଏବେ ରାୟ ପ୍ରକାଶ କରିଛନ୍ତି କୋର୍ଟ ।୨୦୨୫ ଅକ୍ଟୋବର ୬ ତାରିଖ ରାତିରେ ପୀତବାସପଣ୍ଡାଙ୍କୁ ହତ୍ୟା ହୋଇଥିଲା । ଏହି ମାମଲାରେ ଅକ୍ଟୋବର ୨୨ ତାରିଖରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ସମେତ ୧୨ଜଣଙ୍କୁ ଗିରଫ କରିଥିଲା ପୋଲିସ । ପରବର୍ତ୍ତୀ ସମୟରେ ଆଉ ୪ଜଣ ଗିରଫ ହୋଇଥିଲେ । ସମସ୍ତେ ଜେଲରେ ଥିବାବେଳେ ଜଣେ ଅଭିଯୁକ୍ତଙ୍କୁ ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ୍ କୋର୍ଟରୁ ଜାମିନ୍ ମିଳିସାରିଛି । ଏପିରିକି ହତ୍ୟାରେ ବ୍ୟବହାର ହୋଇଥିବା ବାଇକ ସେ ଚୋରି କରିଥିବା ଅଭିଯୋଗ ରହିଥିଲା । ସେ ଜାମିନ୍ ପାଇବା ପରେ ଅନ୍ୟ ୧୫ଜଣ ଅଭିଯୁକ୍ତ ଏବେ ଜେଲରେ ଅଛନ୍ତି । ଅନ୍ୟ ଅଭିଯୁକ୍ତମାନେ ବି ଜାମିନ ପାଇଁ ଆବେଦନ କରିଥିବା ଜଣାପଡିଛି ।