ପାର୍କିଂ ବ୍ୟବସ୍ଥା ନଥିଲେ ଗାଡ଼ି କିଣି ପାରିବେ ନାହିଁ
ରାଜ୍ୟକାହାଣୀ ( ଭୁବନେଶ୍ୱର )ନିଜ ପାଇଁ ଗାଡି କିଣୁଥିଲେ ଏହି ଖବର ଉପରେ ଧ୍ୟାନ ଦିଅନ୍ତୁ । ପାର୍କିଂ ସୁବିଧା ନ ଥିଲେ ବେସରକାରୀ ଗାଡ଼ି କିଣିବାକୁ ଅନୁମତି ମିଳିବନି । ସରକାର ସବୁ ସହରାଞ୍ଚଳ ପାଇଁ ଜାରି କରିଥିବା ଚିଠା ପାର୍କିଂ ନୀତିରେ ଏଭଳି କଡ଼ା ବ୍ୟବସ୍ଥା ରଖିଛନ୍ତି ।ଆସନ୍ତା ୨୮ ତାରିଖ ଭିତରେ ଏହି ଚିଠା ନୀତି ଉପରେ ନିଜ ଅଭିଯୋଗ ବା ପ୍ରସ୍ତାବ ଦେବାକୁ କୁହାଯାଇଛି । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହି ଚିଠା ପାର୍କିଂ ନୀତି(Urban parking policy) ଅଣାଯାଇଛି ।୨୦୧୭-୧୮ ମସିହାରେ ରାଜ୍ୟରେ ୯୧ ଲକ୍ଷ ଗାଡ଼ି ଥିଲା । ୨୦୨୩-୨୪ ସୁଦ୍ଧା ଏହା ଦେଢ଼ କୋଟିରେ ପହଞ୍ଚିଲାଣି । ଗତ ୬ ବର୍ଷରେ ରାଜ୍ୟରେ ଗାଡ଼ି ସଂଖ୍ୟା ୬୫% ବଢ଼ିଗଲାଣି । ଗାଡ଼ି ସଂଖ୍ୟା ଅନିୟନ୍ତ୍ରିତ ଭାବେ ବଢୁଥିବାରୁ ସହରାଞ୍ଚଳରେ ପାର୍କିଂ ସମସ୍ୟା ଗୁରୁତର ହେଲାଣି । ଏପରିକି ଟ୍ରାଫିକ ସମସ୍ୟା ପଛରେ ଏହା ଦାୟୀ । ୩୦% ଟ୍ରାଫିକ ଭିଡ଼ର କାରଣ ହେଉଛି, ରାସ୍ତାକଡ଼ରେ ମନଇଚ୍ଛା ଗାଡ଼ି ପାର୍କିଂ ଓ ପାର୍କିଂ ପାଇଁ ରାସ୍ତାରେ ଜାଗା ଖୋଜିବା । ସହରରେ ବଢ଼ି ଚାଲିଥିବା ଗାଡ଼ି ସଂଖ୍ୟାକୁ ନିୟନ୍ତ୍ରଣକୁ ଆଣିବା, ଟ୍ରାଫିକ ଭିଡ଼ କମାଇବା, ପବ୍ଲିକ ଟ୍ରାନ୍ସପୋର୍ଟର ବ୍ୟବହାର ବଢ଼ାଇବା ଓ ବ୍ୟବସ୍ଥିତ ପାର୍କିଂ ଲାଗୁ କରିବାକୁ ସରକାର ଏହି ନୀତି ଆଣିଛନ୍ତି ।ଏହି ନୀତିରେ ଥିବା ବ୍ୟବସ୍ଥା ଅନୁସାରେ, ଏଣିକି ଅନ୍ ଷ୍ଟ୍ରିଟ୍ (ରାସ୍ତା କଡ଼ରେ ପାର୍କିଂ) ଓ ଅଫ ଷ୍ଟ୍ରିଟ୍(ରାସ୍ତା ବାହାରେ ବା ଦୂରରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ) ପାର୍କିଂ ପାଇଁ ଗଣିବାକୁ ପଡ଼ିବ ପାର୍କିଂ ଫି । ତେବେ କେବଳ ମୁଖ୍ୟ ରାସ୍ତା ନୁହେଁ, ସହରର ଗଳି ରାସ୍ତା କଡ଼ରେ ବା ଆବାସିକ ଅଞ୍ଚଳରେ ମନଇଚ୍ଛା ଗାଡ଼ି ପାର୍କିଂ କରିହେବନି । ଏଭଳି କଲେ ଜରିମାନା ଗଣିବାକୁ ପଡ଼ିବ ।ସବୁ ସହରାଞ୍ଚଳର ସ୍ଥାନୀୟ ପୌରପାଳିକା ବା ମହାନଗର ନିଗମ ଏକ ପାର୍କିଂ ଅଥରିଟି ଗଠନ କରିବେ । ଏହି ଅଥରିଟି ପାର୍କିଂ ନୀତିକୁ ଲାଗୁ କରିବ । ଏଥିପାଇଁ ରାଜ୍ୟସ୍ତରରେ ପିଏସଡିଏମସି କମିଟି ରହିବ । ପାର୍କିଂ ଫି ଆଦାୟଠାରୁ ନେଇ ଜରିମାନା ଆଦାୟ ଓ ଗାଡ଼ି ଟୋଇଂ ବା ନିୟମ ଉଲଙ୍ଘନ କଲେ ଉଠାଇ ନେବା ପାଇଁ ପଦକ୍ଷେପ ନେବ ।