ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବଡ ଝଟକା। ଦିଦିଙ୍କ ଦାବିକୁ ଅଗ୍ରାହ୍ୟ କରିଦେଇଛନ୍ତି ସୁପ୍ରିମକୋର୍ଟ

ଭୋଟ ଗଣତି ପୂର୍ବରୁ ଦିଦିଙ୍କୁ ସୁପ୍ରିମ ଝଟକା। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦାବିକୁ ଅଗ୍ରାହ୍ୟ କରିଦେଇଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ। ମତଗଣନା ବେଳେ କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ ନିୟୋଜିତକୁ ବିରୋଧ କରି ମମତା ଯେଉଁ ଆବେଦନ କରିଥିଲେ, ତାକୁ କୋର୍ଟ ‘ଯୁକ୍ତି ସମ୍ମତ ନୁହେଁ’ ବୋଲି କହିଛନ୍ତି। ଆଉ ଦୁଇ ଦିନ ପରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣତି ହେବ । ୨୯୪ ସିଟରେ ନୂଆ ବିଧାୟକ ବାଛିବେ ବଙ୍ଗ ଭୋଟର । ଭୋଟ ଗଣତି କେନ୍ଦ୍ରରେ କେନ୍ଦ୍ର ସରକାରଙ୍କ ଅଧିକାରୀ ଏବଂ କର୍ମଚାରୀ ନିୟୋଜିତ ହେବେ । ହେଲେ ଏହାକୁ ବିରୋଧ କରିଥିଲେ ମମତା । କେନ୍ଦ୍ର ସରକାରଙ୍କ କର୍ମଚାରୀ ମତଗଣନା ବେଳେ ଉପସ୍ଥିତ ରହିବା ଅନୁଚିତ ବୋଲି ମମତା ଦାବି କରିଥିଲେ । ପ୍ରଥମେ ମାମଲାକୁ ନେଇ ସେ ହାଇକୋର୍ଟ ଯାଇଥିଲେ । ହେଲେ କୋଲକାତା ହାଇକୋର୍ଟ ମମତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ ।

ତେବେ କୋଲକାତା ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ୍ କରି ମମତା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସୁପ୍ରିମକୋର୍ଟ ମଧ୍ୟ ଭୋଟ୍ ଗଣତିରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ନିଯୁକ୍ତି ନିୟମର ଉଲ୍ଲଙ୍ଘନ ନୁହେଁ ବୋଲି କହିଛନ୍ତି । ଏହାସହ ଘଟଣାକୁ ନେଇ ନୂଆ ଆବେଦନର ଆବଶ୍ୟକତା ନଥିବା ଖଣ୍ଡପୀଠ ପ୍ରକାଶ କରିଛନ୍ତି ।ନିର୍ବାଚନ ଆୟୋଗ ଗତ ୩୦ ତାରିଖରେ ଆଦେଶ ଜାରି କରିଥିଲେ ଯେ, ଭୋଟ ଗଣନାର ସମସ୍ତ ଟେବୁଲରେ ସୁପର ଭାଇଜର ଏବଂ ଆସିଷ୍ଟାଣ୍ଟ ରହିବେ । ଏହି କର୍ମଚାରୀଙ୍କ ମଧ୍ୟରୁ ଅତି କମରେ ଜଣେ କେନ୍ଦ୍ର ସରକାରଙ୍କ କର୍ମଚାରୀ ହେବା ଆବଶ୍ୟକ । ଏହି ନିର୍ଦ୍ଦେଶନାମା ପରେ କେନ୍ଦ୍ର ସରକାରଙ୍କ କର୍ମଚାରୀ ବିଜେପିର ଇଶାରାରେ କାମ କରିବେ ବୋଲି ଟିଏମସି ଅଭିଯୋଗ କରିଥିଲା ।

You might also like