ନୂଆଁଖାଇ ପାଳୁଛି ପଶ୍ଚିମ ଓଡ଼ିଶା, ଆଜି ମାଆ ସମଲେଶ୍ବରୀଙ୍କୁ ଲାଗି ହେବ ନବାନ୍ନ

ଭୁବନେଶ୍ୱର (ରାଜ୍ୟ କାହାଣୀ )ଆଜି ଦୁଲୁକୁଛି ସମଗ୍ର ପଶ୍ଚିମ ଓଡ଼ିଶା । ସମସ୍ତେ ମିଶି ଧୁମଧାମରେ ପାଳନ କରୁଛନ୍ତି ଗଣପର୍ବ ନୂଆଖାଇ। ନୂଆ ଧାନର ପ୍ରଥମ ଅନ୍ନକୁ ଇଷ୍ଟଦେବୀ ମା’ ସମଲେଇଙ୍କ ନିକଟରେ ଅର୍ପଣ କରିବା ସହ ପରିବାରର ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରି ପାଳିତ ହେଉଛି ଏହି ମହାନ ପର୍ବ। ନୂଆଁଖାଇର ପ୍ରମୁଖ ଆକର୍ଷଣ ସମ୍ବଲପୁରର ମା’ ସମଲେଶ୍ୱରୀ ପୀଠ । ଚଳିତବର୍ଷ ନବାନ୍ନ ଲାଗି ପାଇଁ ସକାଳ ୯ଟା ୪୦ରୁ ୯ଟା ୫୪ ମଧ୍ୟରେ ଶୁଭଲଗ୍ନ ଧାର୍ଯ୍ୟ କରାଯାଇଛି । ନିର୍ଦ୍ଧାରିତ ଲଗ୍ନରେ ମା’ ସମଲେଶ୍ୱରୀଙ୍କୁ ନୂଆ ଧାନରୁ ପ୍ରସ୍ତୁତ ନବାନ୍ନ ଅର୍ପଣ କରାଯିବ ।

ଏହାପରେ ଘରେ ଘରେ ନିଜ ଇଷ୍ଟଦେବତା ଓ ଗ୍ରାମଦେବୀଙ୍କୁ ନବାନ୍ନ ଅର୍ପଣ କରି ପରିବାର ସଦସ୍ୟ ଏକାଠି ନୂଆ ଅନ୍ନ ଭକ୍ଷଣ କରିବେ । ନୂଆଁଖାଇ’ର ଅର୍ଥ ହେଉଛି ନୂଆ ଅନ୍ନ ଖାଇବା। କିନ୍ତୁ ଏହାର ମହତ୍ତ୍ୱ କେବଳ ନୂଆ ଫସଲ ମଧ୍ୟରେ ସୀମିତ ନୁହେଁ । ନୂଆଁଖାଇ ପରିବାରକୁ ଏକାଠି କରେ, ଭାଇଚାରା ବଢ଼ାଏ ଏବଂ ପୁରୁଣା ମନୋମାଳିନ୍ୟ ଭୁଲି ନୂଆ ସମ୍ପର୍କର ଆରମ୍ଭ ପାଇଁ ସନ୍ଦେଶ ଦିଏ । ନବାନ୍ନ ଭକ୍ଷଣ ପରେ ଆରମ୍ଭ ହୁଏ ‘ନୂଆଁଖାଇ ଜୁହାର’। ପରିବାରର ସାନମାନେ ବଡ଼ମାନଙ୍କୁ ଜୁହାର କରି ଆଶୀର୍ବାଦ ନିଅନ୍ତି । ସାଙ୍ଗସାଥୀ, ଆତ୍ମୀୟସ୍ୱଜନ ଓ ପଡ଼ୋଶୀ ପରସ୍ପରକୁ ନୂଆଁଖାଇ ଜୁହାର ଜଣାନ୍ତି । ଦୂରଦୂରାନ୍ତରେ ରହୁଥିବା ପରିବାର ସଦସ୍ୟମାନେ ମଧ୍ୟ ଏହି ଅବସରରେ ଘରକୁ ଫେରନ୍ତି। ସମ୍ବଲପୁର ସହ ବରଗଡ଼, ବଲାଙ୍ଗୀର, ସୁବର୍ଣ୍ଣପୁର, ଝାରସୁଗୁଡ଼ା, କଳାହାଣ୍ଡି, ନୂଆପଡ଼ା, ସୁନ୍ଦରଗଡ଼, ବୌଦ୍ଧ ଓ ଦେବଗଡ଼ ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳ ନୂଆଁଖାଇ ପାଇଁ ଉତ୍ସବମୁଖର ।ସହରଠାରୁ ଦୂରରେ ରହୁଥିବା ଲୋକମାନେ ମଧ୍ୟ ଆଜି ନିଜ ମାଟି ଓ ପରିବାରକୁ ମନେ ପକାଇ ନୂଆଖାଇ ପାଇଁ ଘରମୁହାଁ ହୋଇଛନ୍ତି । ଫଳରେ ଗାଁଗୁଡ଼ିକରେ ପର୍ବର ଆନନ୍ଦ ଆହୁରି ଦ୍ୱିଗୁଣିତ ହୋଇଛି। ନୂଆଖାଇ ଆମକୁ ମାଟି, ଚାଷୀ ଓ ଅନ୍ନ ପ୍ରତି ସମ୍ମାନ କରିବାର ବାର୍ତ୍ତା ଦେଇଥାଏ। ପରମ୍ପରା, ସଂସ୍କୃତି ଓ ଭାଇଚାରାକୁ ଏକାଠି କରିଥିବା ଏହି ଗଣପର୍ବ ପଶ୍ଚିମ ଓଡ଼ିଶାର ଅସ୍ମିତାର ଏକ ଅବିଚ୍ଛେଦ୍ୟ ଅଂଶ ହୋଇ ରହିଛି।

You might also like