ନିର୍ବାଚନ ଚିହ୍ନ ହରାଇବା ପରେ ମମତା ବାନାର୍ଜୀଙ୍କ ପ୍ରଥମ ପ୍ରତିକ୍ରିୟା
ନିର୍ବାଚନ ଆୟୋଗ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଋତୁବ୍ରତ ବାନାର୍ଜୀଙ୍କ ନେତୃତ୍ୱାଧୀନ ଗୋଷ୍ଠୀ ପାଇଁ ନୂତନ ନାମ ଘୋଷଣା କରିଛନ୍ତି। ଏହା ସହିତ, ଉଭୟ ଦଳକୁ ସ୍ବତନ୍ତ୍ର ନିର୍ବାଚନ ଚିହ୍ନ ମଧ୍ୟ ଆବଣ୍ଟନ କରାଯାଇଛି, ଯାହାକୁ ନେଇ ମମତା ବାନାର୍ଜୀ ନିର୍ବାଚନ ଆୟୋଗ ଏବଂ ଭାଜପା ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ ସମ୍ବିଧାନିକ ପଦବୀଗୁଡ଼ିକୁ ସେମାନେ ଅସମ୍ମାନ କରୁନଥିଲେ ମଧ୍ୟ, ଆଜିର ଦିନଟି ଦେଶର ଗଣତାନ୍ତ୍ରିକ ଇତିହାସରେ ଏକ କଳା ଅଧ୍ୟାୟ ହୋଇ ରହିବ। ସେ ଏହି ଘଟଣାକ୍ରମକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ, ଅସମ୍ବିଧାନିକ, ବେଆଇନ ଏବଂ ଗଣତନ୍ତ୍ର-ବିରୋଧୀ ବୋଲି ବର୍ଣ୍ଣନା କରିଛନ୍ତି; ଏହାକୁ ଏକ ରାଜନୈତିକ ଦଳର ଅହଂକାରକୁ ସନ୍ତୁଷ୍ଟ କରିବା ଉଦ୍ଦେଶ୍ୟରେ କରାଯାଇଥିବା ସମ୍ପୂର୍ଣ୍ଣ ପକ୍ଷପାତମୂଳକ ଓ ପ୍ରତିଶୋଧପରାୟଣ କାର୍ଯ୍ୟ ବୋଲି ସେ ଅଭିହିତ କରିଛନ୍ତି। ସୂଚନାମୁତାବକ ନିର୍ବାଚନ କମିଶନ ମମତା ବାନାର୍ଜୀ ଏବଂ ଋତବ୍ରତ ବାନାର୍ଜୀଙ୍କ ଦୁଇଟି ଅଲଗା ଦଳର ନାମ ଓ ନିର୍ବାଚନୀ ଚିହ୍ନ ଆବଣ୍ଟନ କରିଛନ୍ତି। ମମତା ବାନାର୍ଜୀଙ୍କୁ ‘ଫୁଟବଲ ଖେଳାଳି’ ଚିହ୍ନ ମିଳିଛି। ତାଙ୍କ ଦଳର ନାମ ଏବେ ‘ମମତା ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ’ ରହିବ। ସେହିପରି ଋତବ୍ରତ ବାନାର୍ଜୀଙ୍କୁ ‘ଲଫାପା’ ଚିହ୍ନ ମିଳିଥିବା ବେଳେ ତାଙ୍କ ଦଳର ନାମ ‘ଡେମୋକ୍ରାଟିକ ତୃଣମୂଳ କଂଗ୍ରେସ’ ରହିବ। ତୃଣମୂଳ କଂଗ୍ରେସର ଦୁଇ ଗୋଷ୍ଠୀକୁ ନିର୍ବାଚନ କମିଶନ ନୂଆ ନିର୍ବାଚନୀ ଚିହ୍ନ ଆବଣ୍ଟନ କରିଛନ୍ତି। ବାସ୍ତବରେ, ମମତା ବାନାର୍ଜୀ ନିର୍ବାଚନ କମିଶନଙ୍କ ନିକଟରେ ତିନୋଟି ନାମ ପ୍ରସ୍ତାବ ଦେଇଥିଲେ। ସେଥିରୁ ଗୋଟିଏ ନାମକୁ ତାଙ୍କ ଦଳ ପାଇଁ କମିଶନ ଅନୁମୋଦନ କରିଛନ୍ତି।