ଦିଲ୍ଲୀ ଛାତ୍ର ଆନ୍ଦୋଳନରେ ହିଂସା, ତଦନ୍ତ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କଲେ ସୁପ୍ରିମକୋର୍ଟ
ନୀଟ୍ ପ୍ରଶ୍ନପତ୍ର ଲିକ୍ ପ୍ରତିବାଦରେ ଦିଲ୍ଲୀର ଜନ୍ତରମନ୍ତର ସମେତ ବିଭିନ୍ନ ରାଜ୍ୟରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଥିବା ଛାତ୍ରଛାତ୍ରୀ ଓ ଆନ୍ଦୋଳନକାରୀଙ୍କ ଉପରେ ପୋଲିସ, ପାରାମିଲିଟାରୀ ଏବଂ ସୁରକ୍ଷାବଳ ଦ୍ଵାରା ଅତ୍ୟାଚାର ଓ ମାତ୍ରାଧିକ ବଳପ୍ରୟୋଗ ଅଭିଯୋଗର ତଦନ୍ତ ପାଇଁ ସୁପ୍ରିମ୍ କୋର୍ଟ ଗୁରୁବାର ଏକ ୫-ଜଣିଆ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି (ଏଚପିଇସି) ଗଠନ କରିଛନ୍ତି। ବିଶେଷ କରି ମହିଳା ଆନ୍ଦୋଳନକାରୀଙ୍କ ପ୍ରତି ହୋଇଥିବା ଦୁର୍ବ୍ୟବହାର, ଯୌନ ନିର୍ୟାତନା ଏବଂ ଗୁରୁତର ଆହାତ ମାମଲାଗୁଡ଼ିକୁ ପ୍ରାଥମିକତା ଦେଇ ତଦନ୍ତ କରିବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।ସୁପ୍ରିମକୋର୍ଟ ଜାରି କରିଥିବା ଆଦେଶ ଅନୁସାରେ ଏହି କମିଟିରେ ଅନ୍ୟ ସଦସ୍ୟଙ୍କ ମଧ୍ୟରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍ ରବିଶଙ୍କର ଝା, ଦିଲ୍ଲୀ ହାଇକୋର୍ଟର ପୂର୍ବତନ ଜଜ୍ ଜଷ୍ଟିସ୍ ଶାଲିନ୍ଦର କୌର, ସିବିଆଇର ପୂର୍ବତନ ନିର୍ଦ୍ଦେଶକ ଋଷି କୁମାର ଶୁକ୍ଲା ଏବଂ ମେଘାଳୟର ପୂର୍ବତନ ଡିଜିପି ଏଲ୍.ଆର୍ ବିଷ୍ନୋଇ ସାମିଲ ଅଛନ୍ତି ।ଏହା ପୂର୍ବରୁ ମଙ୍ଗଳବାର ହୋଇଥିବା ଶୁଣାଣି ସମୟରେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଓ ଭି.ମୋହନଙ୍କ ଖଣ୍ଡପୀଠ ପୂରା ଘଟଣାକ୍ରମର ଭିଡିଓ ଫୁଟେଜକୁ ନେଇ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ଖଣ୍ଡପୀଠ କହିଥିଲେ ଯେ ଜୁଲାଇ ୨୦ରେ ହୋଇଥିବା ପ୍ରଦର୍ଶନର ସମସ୍ତ ଭିଡିଓ ଫୁଟେଜକୁ ଉଚ୍ଚସ୍ତରୀୟ କମିଟିକୁ ହସ୍ତାନ୍ତର କରାଯିବ ।ଏହି ସମ୍ବେଦନଶୀଳ ମାମଲାର ପ୍ରମାଣ ନଷ୍ଟ ନହେବା ପାଇଁ ଆନ୍ଦୋଳନ ସମୟର ସିସିଟିଭି ଫୁଟେଜ୍, ଡ୍ରୋନ୍ ରେକର୍ଡିଂ, ବଡି-କ୍ୟାମ୍ ଫୁଟେଜ୍ ଏବଂ ପିସିଆର୍ କଲ୍ ରେକର୍ଡ ସୁରକ୍ଷିତ ରଖିବାକୁ କୋର୍ଟ ଆଦେଶ ଦେଇଛନ୍ତି। ଏହାସହ ଅଟକ ରହିଥିବା ନାବାଳକମାନଙ୍କୁ ତୁରନ୍ତ ଛାଡ଼ିବାକୁ ଏବଂ ଆନ୍ଦୋଳନକାରୀଙ୍କ ବ୍ୟକ୍ତିଗତ ତଥ୍ୟକୁ ସାର୍ବଜନୀନ ନକରି ଗୋପନ ରଖିବାକୁ ପୋଲିସକୁ କୁହାଯାଇଛି। ପୋଲିସ ଦ୍ଵାରା ଲାଠିଚାର୍ଜ, ଲୁହୁହାବୁଅ ଗ୍ୟାସ୍, ଇଲେକ୍ଟ୍ରିକ୍ ବାଡ଼ି ଏବଂ ପେଲେଟ୍ ଗନର ବ୍ୟବହାର ଯାଞ୍ଚ କରିବା ସହ ଧାତବ ପେଲେଟ୍ ଶୁଟ୍ କରୁଥିବା ପମ୍ପ-ଆକ୍ସନ୍ ରାଇଫଲକୁ ଆଗାମୀ ଦିନରେ ସମ୍ପୂର୍ଣ୍ଣ ବ୍ୟାନ୍ କରାଯିବ କି ନାହିଁ, ସେ ନେଇ କମିଟି ଅନୁଧ୍ୟାନ କରିବ।