ଦିଲ୍ଲୀରେ ୧୭ ବର୍ଷୀୟା ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା
ଦିଲ୍ଲୀର ସ୍ୱରୂପ ନଗର ଅଞ୍ଚଳରେ ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ଏକ ଅତ୍ୟନ୍ତ ନୃଶଂସ ଓ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ପୋଲିସର ସୂଚନା ଅନୁଯାୟୀ, ଯୁବତୀ ଜଣକ ଅଭିଯୁକ୍ତଙ୍କ ସହିତ ଏକ ଟେମ୍ପୋରେ ଯାତ୍ରା କରିଥିଲେ । ଟେମ୍ପୋ ଭିତରେ ମଦ୍ୟପାନ କରିବା ପରେ ତାଙ୍କୁ ଦୁଷ୍କର୍ମ କରିବା ପରେ ମାରଣାସ୍ତ୍ରରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଯୁବତୀଙ୍କ ମୃତଦେହ ଏକ ଖୋଲା ପଡ଼ିଆରୁ ମିଳିଥିବା ଜଣାପଡିଛି । ଏହି ମାମଲାରେ ପୋଲିସ ଚାରି ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ମଧ୍ୟରେ ତିନି ଜଣ ନାବାଳକ ରହିଛନ୍ତି । ସେପ୍ଟେମ୍ବର ୧୩ ତାରିଖରେ ପୁଲିସ ଗଳିତ ମୃତଦେହ ଜବତ କରିଥିଲା । ବୁଲା କୁକୁର ମୃତଦେହର କିଛି ଅଂଶ ଖାଇଯାଇଥିଲେ ଏବଂ ଗୋଟିଏ ହାତ ଶରୀରରୁ ଅଲଗା ହୋଇ ପଡ଼ିଥିଲା। ଶରୀର ଏତେ ବିକୃତ ହୋଇଯାଇଥିଲା ଯେ, ପ୍ରଥମେ ଲିଙ୍ଗ ନିରୂପଣ କରିବା ବି କଷ୍ଟକର ଥିଲା।ନାବାଳିକାଙ୍କ ପରିବାର ପକ୍ଷରୁ ନିଖୋଜ ନେଇ ଏତଲା ଦିଆଯାଇ ନଥିଲା। ପରିବାର ଲୋକେ ପୁଲିସକୁ ଜଣାଇଥିଲେ ଯେ, ସେ ପ୍ରାୟତଃ ଘରୁ ବାହାରକୁ ଯାଇ କିଛି ଦିନ ପରେ ଫେରୁଥିଲେ। ଘଟଣାସ୍ଥଳରେ କୌଣସି ପ୍ରତ୍ୟକ୍ଷଦର୍ଶୀ ନଥିବାରୁ ପୁଲିସ ୫୦ରୁ ଅଧିକ CCTV କ୍ୟାମେରାର ଫୁଟେଜ୍ ଯାଞ୍ଚ କରିଥିଲା। ଅନ୍ଧାର ହେତୁ ଏକ ସନ୍ଦେହଜନକ ଟେମ୍ପୋର ନମ୍ବର ସ୍ପଷ୍ଟ ଦିଶୁ ନଥିଲେ ବି ପୁଲିସ ବିଭିନ୍ନ ରୁଟ୍ର ଫୁଟେଜ୍ ଯୋଡ଼ି ତାର ପିଛା କରିଥିଲା।ସେପ୍ଟେମ୍ବର ୧୫ ଓ ୧୬ ତାରିଖ ରାତିରେ ଚାଲିଥିବା ଏକ ବିଶେଷ ସର୍ଚ୍ଚ ଅପରେସନ୍ ପରେ ପୁଲିସ ଟେମ୍ପୋଟିକୁ ଖଡ୍ଡା କଲୋନୀରୁ ଠାବ କରି ତା’ର ଚାଳକକୁ ଆଟକ ରଖି ପଚରାଉଚୁରା କରିଥିଲା। ପୁଲିସ ମୋଟ ୪ ଜଣଙ୍କୁ ଗିରଫ କରିଛି। ମୁଖ୍ୟ ଅଭିଯୁକ୍ତ ହେଉଛି ଶିବମ ଓରଫ ସୁଦାମା ଓରଫ ଚୁଚୁ (୧୯ ବର୍ଷ) ଏବଂ ଅନ୍ୟ ୩ ଜଣ ଅଭିଯୁକ୍ତ ୧୬ରୁ ୧୭ ବର୍ଷ ବୟସର ନାବାଳକ।ମୃତ ନାବାଳିକା ଜଣକ ପାଠପଢ଼ା ଛାଡ଼ି ନିଜ ପରିବାରକୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ସ୍ୱରୂପ ନଗରରେ ଅଲଗା ରହି ଚାକିରି ଖୋଜୁଥିଲେ। ବର୍ତ୍ତମାନ ପୁଲିସ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା, ଗଣ ଦୁଷ୍କର୍ମ ଏବଂ ପ୍ରମାଣ ନଷ୍ଟ ମାମଲା ରୁଜୁ କରି ଅଧିକ ଫୋରେନ୍ସିକ୍ ତଦନ୍ତ ଜାରି ରଖିଛି।