ତୀବ୍ର ହେଉଛି ଆମେରିକା-ଇରାନ ଉତ୍ତେଜନା ;ଇରାନର ୩ ତୈଳ ଟ୍ୟାଙ୍କରକୁ ଅଟକାଇଲା ଆମେରିକା

ଆମେରିକା-ଇରାନ ମଧ୍ୟରେ ଯୁଦ୍ଧବିରତି ଚାଲିଥିଲେ ମଧ୍ୟ ଶାନ୍ତି ଆଲୋଚନା ବିଫଳ ହେବା ପରେ ଏହା ଆଗକୁ ଆହୁରି ଭୟଙ୍କର ହେବା ଆଶଙ୍କା କରାଯାଉଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଧମକ ଦେଇ କହିଛନ୍ତି ଯେ, ଶାନ୍ତି ଚୁକ୍ତି କରିବାର ସମୟ ସରି ଆସୁଛି । ଟ୍ରମ୍ପ ଇରାନ ଯୁଦ୍ଧକୁ ପରମାଣୁ ଯୁଦ୍ଧରେ ପରିଣତ କରିବାକୁ ସେ ଚାହୁଁ ନଥିବା କହିଥିବାବେଳେ ତୃତୀୟ ଆମେରିକୀୟ ବିମାନ ବାହକ ମଧ୍ୟପ୍ରାଚ୍ୟକୁ ପଠାଇଛନ୍ତି । ଏହାସହିତ ଯୁଦ୍ଧବିରତି ପରଠାରୁ ତେହେରାନରେ ପ୍ରଥମ ଥର ବିସ୍ଫୋରଣ ‌ହୋଇଥିବା ତେହେରାନ ଗଣମାଧ୍ୟମ ପକ୍ଷରୁ କୁହାଯାଇଛି।ଏସୀୟ ଜଳସୀମାରେ ଆମେରିକା ନୌସେନା ଇରାନର ତିନିଟି ତୈଳ ଟ୍ୟାଙ୍କରକୁ ଅଟକ ରଖିଛି। ଅଟକ ଥିବା ଇରାନ ତୈଳ ଟ୍ୟାଙ୍କରଗୁଡିକ ଭାରତ, ମାଲେସିଆ ଓ ଶ୍ରୀଲଙ୍କା ଜଳସୀମା ନିକଟରେ ଗତି କରୁଥିଲେ। ଆମେରିକା ନୌସେନା ଇରାନ ବିରୋଧରେ ଚଳାଇଥିବା ସାମୁଦ୍ରିକ ଅବରୋଧ କ୍ରମରେ ଏହି ୩ ଜାହାଜକୁ ଅଟକ ରଖିଛି।

ତୈଳ ଟ୍ୟାଙ୍କରକୁ ଅଟକା ଯିବା ପରେ ସେଗୁଡ଼ିକର ଗତିପଥ ବଦଳାଇ ଫେରିଯିବାକୁ ପରାମର୍ଶ ଦିଆଯାଇଛି। ଅଟକ ହୋଇଥିବା ଜାହାଜଗୁଡ଼ିକ ହେଲା ଡୋରେନା, ଡିପ୍‌ ସି ଓ ସେଭିନ୍। ଡୋରେନା ସୁପରଟ୍ୟାଙ୍କରଟି ପ୍ରାୟ ୨୦ ଲକ୍ଷ ବ୍ୟାରେଲ୍ ଅଶୋଧିତ ତୈଳ ନେଇ ଯାଉଥିଲା। ଏହାକୁ ଦକ୍ଷିଣ ଭାରତ ଉପକୂଳ ନିକଟରେ ଆମେରିକାର ଏକ ଯୁଦ୍ଧଜାହାଜ ଡେଷ୍ଟ୍ରୟର ଦ୍ୱାରା ଅଟକାଯାଇଛି। ଡିପ୍ ସି ଜାହାଜଟି ମାଲେସିଆ ଉପକୂଳ ନିକଟରେ ଅଟକ ହୋଇଛି। ଏଥିରେ ମଧ୍ୟ ବହୁ ପରିମାଣର ତୈଳ ରହିଥିଲା। ସେଭିନ୍ ଏକ ଛୋଟ ଟ୍ୟାଙ୍କର, ଯାହା ନିଜ କ୍ଷମତାର ପ୍ରାୟ ୬୫% ତୈଳ ନେଇ ଯାଉଥିବା ବେଳେ ଧରାପଡ଼ିଛି। ଆମେରିକା ଏବଂ ଇସ୍ରାଏଲ୍‌ର ଇରାନ ସହ ଚାଲିଥିବା ସଂଘର୍ଷ ମଧ୍ୟରେ ଆମେରିକା ଇରାନର ସାମୁଦ୍ରିକ ବାଣିଜ୍ୟ ଉପରେ କଟକଣା ଲଗାଇଛି।ଅନ୍ୟପକ୍ଷରେ ଇରାନ ରିଭୋଲ୍ୟୁସନାରୀ ଗାର୍ଡ଼ସ (ଆଇଆରଜିସି) ହର୍ମୁଜ ପ୍ରଣାଳୀ ଦେଇ ଯାଇଥିବା ସମୁଦ୍ର ତଳ ଡାଟା କେବୁଲ ସଂଯୋଗ କାଟିଦେବାକୁ ଧମକ ଦେଇଥିବା ଇରାନ ନ୍ୟୁଜ ଏଜେନ୍ସି ଏହାର ରିପୋର୍ଟରେ ପ୍ରକାଶ କରିଛି। ତସନିମ୍‌ ନ୍ୟୁଜ ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ, ଇଣ୍ଟରନେଟ୍‌ କେବୁଲ କାଟି ଦିଆଯିବା ଦ୍ବାରା ପାରସ୍ୟ ଉପସାଗରରେ ବିଭ୍ରାଟ ସୃଷ୍ଟି ହୋଇପାରେ। ପୂର୍ବରୁ ଏହି ମାର୍ଗ ଦେଇ ତୈଳ ଓ ଗ୍ୟାସ ପରିବହନ ବାଧାପ୍ରାପ୍ତ ହେବା ଯୋଗୁଁ ବିଶ୍ବରେ ଶକ୍ତି ସଙ୍କଟ ଦେଖାଦେଇଛି। ଆଗକୁ ଇଣ୍ଟରନେଟ୍‌ ସଂଯୋଗ ବିଚ୍ଛିନ୍ନ କରିବାକୁ ଧମକ ଦେଇଛନ୍ତି ।

You might also like