ଟ୍ରାନ୍ସଜେଣ୍ଡର କଲ୍ୟାଣ ବୋର୍ଡ ହେବ ପୁନର୍ଗଠିତ
ଭୁବନେଶ୍ୱର (ରାଜ୍ୟକାହାଣୀ )୨ଦିନ ତଳେ ରାଜ୍ୟ ଟ୍ରାନ୍ସଜେଣ୍ଡର କଲ୍ୟାଣ ବୋର୍ଡ ଗଠନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ମୁଖ୍ୟ ଶାସନ ସଚିବଙ୍କୁ ବୋର୍ଡର ଅଧ୍ୟକ୍ଷ ଦାୟିତ୍ବ ଦିଆଯାଇଥିଲା । କିନ୍ତୁ ହଠାତ ପୂର୍ବ ନିର୍ଦ୍ଦେଶାନାମାକୁ ବାତିଲ କରି ନୂଆ ବିଜ୍ଞପ୍ତି ଆସିଛି। ଏହି ନୂତନ ବିଜ୍ଞପ୍ତିରେ ବୋର୍ଡର ଅଧ୍ୟକ୍ଷ ପଦରେ ପ୍ରମୁଖ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ମୁଖ୍ୟ ଶାସନ ସଚିବ ଏହି ବୋର୍ଡର ଅଧ୍ୟକ୍ଷ ଥିବାବେଳେ, ବର୍ତ୍ତମାନ ଏସଏସଇପିଡି ବିଭାଗର ମନ୍ତ୍ରୀଙ୍କୁ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ବୋର୍ଡର ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ଏସଏସଇପିଡି ବିଭାଗର ପ୍ରମୁଖ ଶାସନ ସଚିବ (ଉପ-ଅଧ୍ୟକ୍ଷ), ନିର୍ଦ୍ଦେଶକ (ସଦସ୍ୟ ସଚିବ), ପୋଲିସ ମହାନିର୍ଦ୍ଦେଶକ, ବିଭିନ୍ନ ବିଭାଗର ପ୍ରତିନିଧି, ଜିଲ୍ଲାପାଳ (ବଲାଙ୍ଗୀର, ଅନୁଗୋଳ, ଖୋର୍ଦ୍ଧା), ଏବଂ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟର ସଦସ୍ୟ (ଦିପ୍ତି ରଞ୍ଜନ ମହାପାତ୍ର ଏବଂ ସୌମ୍ୟ ଦାସ) ଅନ୍ତର୍ଭୁକ୍ତ ଅଛନ୍ତି। ଏହି ପୁନର୍ଗଠନ ଟ୍ରାନ୍ସଜେଣ୍ଡର ବ୍ୟକ୍ତିଙ୍କ ଅଧିକାର ସୁରକ୍ଷା ଏବଂ ସେମାନଙ୍କ କଲ୍ୟାଣ ନିମନ୍ତେ କାର୍ୟ୍ୟ କରିବ।ତେବେ କାହିଁକି ମାତ୍ର ୨ ଦିନରେ ବଦଳିଲା ନିଷ୍ପତ୍ତି ? କାହିଁକି ମୁଖ୍ୟ ଶାସନ ସଚିବଙ୍କ ଜାଗାରେ ମନ୍ତ୍ରୀଙ୍କୁ ଦାୟିତ୍ବ ଦିଆଯାଇଥିଲା । ତାକୁ ନେଇ ପ୍ରଶ୍ନ ଉଠିଛି ।ସୂଚନା ମୁତାବକ ୨୦୨୫ ମସିହା ୧୫ ତାରିଖରେ ମଧ୍ୟ ବୋର୍ଡ ଗଠନ ବେଳେ ଏହାର ଅଧ୍ୟକ୍ଷ ବିଭାଗୀୟ ମନ୍ତ୍ରୀ ରହିଥିଲେ। କିନ୍ତୁ ଗତ ୨୧ ତାରିଖରେ ବୋର୍ଡ ପୁନର୍ଗଠନ ବେଳେ ଅଧ୍ୟକ୍ଷ ଭାବେ ମୁଖ୍ୟ ଶାସନ ସଚିବଙ୍କୁ ଦାୟିତ୍ୱ ଦିଆଯାଇଥିଲା। ମାତ୍ର ଦୁଇ ଦିନ ଭିତରେ ଏବେ ପୁଣି ଥରେ ମନ୍ତ୍ରୀ ଦାୟିତ୍ବରେ ରହିଲେ।