ଝିଅର ପାଠପଢ଼ା ପାଇଁ ଖାଲି ପାଦରେ ଦୌଡ଼ିଲେ ମା’, ମାରାଥନ୍ରେ ଜିତିଲେ ୩ ହଜାର ଟଙ୍କା
ଜଣେ ୪୭ ବର୍ଷୀୟ ମହିଳା ନିଜ ଦୃଢ଼ ଇଚ୍ଛାଶକ୍ତି ଓ ସନ୍ତାନଙ୍କ ଶିକ୍ଷା ପ୍ରତି ଜଣେ ମା’ଙ୍କ ପ୍ରତିବଦ୍ଧତାର ଏକ ପ୍ରେରଣାଦାୟକ ଉଦାହରଣ ସୃଷ୍ଟି କରିଛନ୍ତି। ଝିଅଙ୍କ ଫି’ ଟଙ୍କା ଯୋଗାଡ଼ କରିବା ପାଇଁ ଖାଲି ପାଦରେ ମାରାଥନ୍ ଦୌଡ଼ି ପ୍ରଥମ ସ୍ଥାନ ହାସଲ କରିଛନ୍ତି ରମାବାଇ ରଣବୀର। ମହାରାଷ୍ଟ୍ରର ବୀଡ୍ ଜିଲାର ଅମ୍ବାଜୋଗାଇରେ ‘ଅମୃତ ଦୌଡ଼’ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି ମାରାଥନ୍ରେ ରମାବାଇ ଶାଢ଼ି ପିନ୍ଧି ଖାଲି ପାଦରେ ଦୌଡ଼ିଥିଲେ । ବର୍ଷା ଯୋଗୁଁ ରାସ୍ତା କାଦୁଅରେ ଭରିଯାଇଥିଲେ ମଧ୍ୟ ତାଙ୍କ ଦୃଢ଼ ଇଚ୍ଛାଶକ୍ତି ଆଗରେ କୌଣସି ବାଧା ଠିଆ ହୋଇପାରିନଥିଲା।ଭାରତୀୟ ଶିକ୍ଷଣ ପ୍ରସାରକ ସଂସ୍ଥାର ଖୋଲେଶ୍ୱର ଏଜୁକେସନାଲ୍ କମ୍ପ୍ଲେକ୍ସର ଅମୃତ ମହୋତ୍ସବ ପାଳନ ଅବସରରେ ଆୟୋଜିତ ‘ଅମୃତ ଦୌଡ଼’ରେ ସେ ଭାଗ ନେଇଥିଲେ। ମାରାଥନ୍ରେ ବିଜୟୀ ହୋଇ ସେ ୩,୦୦୦ ଟଙ୍କା ନଗଦ ପୁରସ୍କାର ପାଇଛନ୍ତି। ଏହି ଟଙ୍କାକୁ ସେ ନିଜ ଝିଅର ପାଠପଢ଼ା ପାଇଁ ଖର୍ଚ୍ଚ କରିବେ ବୋଲି କହିଛନ୍ତି।ସ୍ୱାମୀଙ୍କ ମୃତ୍ୟୁ ପରେ ପରିବାରର ସମସ୍ତ ଦାୟିତ୍ୱ ତାଙ୍କ କାନ୍ଧରେ ପଡ଼ିଛି। ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ ଝିଅମାନଙ୍କ ପଢ଼ା ଖର୍ଚ୍ଚ ଯୋଗାଇବା ପାଇଁ ସେ ଏକାଧିକ କଷ୍ଟ କରୁଛନ୍ତି। ଏକାଡେମୀରେ ରୋଷେୟା ଭାବେ କାମ କରି ପରିବାର ଚଳାଉଛନ୍ତି। ତାଙ୍କର ଜଣେ ଝିଅ ବିଏସ୍ସି ପଢ଼ୁଥିବା ବେଳେ ଅନ୍ୟ ଝିଅ ପୋଲିସ୍ ନିଯୁକ୍ତି ପାଇଁ ପ୍ରସ୍ତୁତି କରୁଛନ୍ତି। ନିଜ ଝିଅମାନଙ୍କ ସ୍ୱପ୍ନ ପୂରଣ ପାଇଁ ରମାବାଇଙ୍କ ଏହି ସଂଘର୍ଷ ଏବେ ଅନେକ ମହିଳା ଓ ଯୁବପିଢ଼ି ପାଇଁ ଏକ ବଡ଼ ପ୍ରେରଣା ପାଲଟିଛି।
ମହାରାଷ୍ଟ୍ରର ବୀଡ଼ ଜିଲ୍ଲା ଅମ୍ବାଜୋଗାଇରେ ଆୟୋଜିତ ଏହି ମାରାଥନ୍ ଛତ୍ରପତି ଶିବାଜୀ ମହାରାଜ ଛକରୁ ଆରମ୍ଭ ହୋଇ ଭାଗ୍ୟନଗର ଛକରେ ଶେଷ ହୋଇଥିଲା। ଏଥିରେ ବହୁ ସଂଖ୍ୟକ ସ୍ଥାନୀୟ ଯୁବକ ଓ ଯୁବତୀ ଅଂଶଗ୍ରହଣ କରିଥିଲେ।