ଜଙ୍ଗଲ ନିଆଁ ଲିଭାଉଥିବା ବେଳେ ହେଲିକପ୍ଟର କ୍ରାଶ୍, ୨ ପାଇଲଟ ମୃତ

ଜଙ୍ଗଲ ଜଳୁଥିଲା। ନିଆଁକୁ ଆୟତ୍ତ କରିବାକୁ ଆକାଶରୁ ପାଣି ବର୍ଷାଉଥିଲା ହେଲିକପ୍ଟର। ହେଲେ ହଠାତ୍ ଘଟିଲା ଭୟଙ୍କର ଦୁର୍ଘଟଣା! ନିଆଁ ଲିଭାଇବାକୁ ଯାଇ ଖସିପଡ଼ିଲା ହେଲିକପ୍ଟର। ଆଉ ଆଖି ପିଛୁଳାକେ ଚାଲିଗଲା ଦୁଇ ଜୀବନ। ଅଧିକାରୀଙ୍କ ଅନୁଯାୟୀ, ରବିବାର ଅପରାହ୍ନରେ ଜଙ୍ଗଲ ନିଆଁ ଉପରେ ପାଣି ପକାଇବା ଅଭିଯାନରେ ହେଲିକପ୍ଟରଟି ନିୟୋଜିତ ଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ହେଲିକପ୍ଟରରେ ପାଇଲଟଙ୍କ ବ୍ୟତୀତ ଅନ୍ୟ କେହି ନଥିଲେ । ଉଭୟ ପାଇଲଟ୍ କଣ୍ଟ୍ରାକ୍ଟ ବିମାନ କମ୍ପାନୀ ‘ପ୍ରିସିଜନ୍’ ପାଇଁ କାମ କରୁଥିଲେ ।ଦୁର୍ଘଟଣାରେ ମୃତ ପାଇଲଟଙ୍କ ମଧ୍ୟରୁ ଜଣଙ୍କ ପରିଚୟ ଗ୍ରେଗ୍ କିଙ୍ଗ୍‌ ଭାବେ ଜଣାପଡ଼ିଛି। ସେ ପୂର୍ବରୁ ଆଲାସ୍କା ଡିଭିଜନ୍ ଅଫ୍ ଫରେଷ୍ଟ୍ରି ଆଣ୍ଡ ଫାୟାର ପ୍ରୋଟେକ୍ସନ୍ ସହ କାମ କରିଥିଲେ ଏବଂ ଆଲାସ୍କାରେ ଜଙ୍ଗଲ ନିଆଁ ଲିଭାଇବାର ଅନେକ ଅଭିଯାନରେ ସାମିଲ ହୋଇଥିଲେ ଏବଂ ପରେ ସେ ‘ପ୍ରିସିଜନ୍’ ସହ ଯୋଡ଼ି ହୋଇଥିଲେ । ଆଲାସ୍କାର ଏହି ଏଜେନ୍ସିର ପ୍ରବକ୍ତା ଏମେରି ଜନସନ୍ କହିଛନ୍ତି ଯେ, କିଙ୍ଗଙ୍କ ନିକଟ ସମ୍ପର୍କୀୟମାନେ ଏବେ ମଧ୍ୟ ଏଜେନ୍ସିରେ କାମ କରୁଛନ୍ତି । ପରିବାରର ଅନୁମତି ପରେ ହିଁ ତାଙ୍କ ନାମ ସାର୍ବଜନୀନ କରାଯାଇଥିଲା । ଦ୍ୱିତୀୟ ପାଇଲଟଙ୍କ ପରିଚୟ ଏପର୍ଯ୍ୟନ୍ତ ସାର୍ବଜନୀନ କରାଯାଇନାହିଁ । ଚଳିତ ବର୍ଷ ଜଙ୍ଗଲ ନିଆଁ ଲିଭାଇବା କାର୍ଯ୍ୟରେ ଆମେରିକାରେ ଅତି କମରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି

You might also like