ଘୂର୍ଣ୍ଣିବଳୟ ପ୍ରଭାବ, ଆଜିଠୁ ଦୁଇଦିନ ପ୍ରବଳରୁ ଅତିପ୍ରବଳ ବର୍ଷା

ଭୁବନେଶ୍ୱର (ରାଜ୍ୟ କାହାଣୀ )ଉତ୍ତର ଓଡ଼ିଶା ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ସମୁଦ୍ର ପତ୍ତନଠାରୁ ୦.୯ କି.ମି. ଉଚ୍ଚତାରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା-ଗାଙ୍ଗେୟ ପଶ୍ଚିମବଙ୍ଗ ଉପକୂଳ ଉପରେ ରହିଛି।ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ପାର୍ଇ କଟକ ଓ ମୟୂରଭଞ୍ଜକୁ ଅରେଞ୍ଜ ଆର୍ଲଟ ଜାରି କରାଯାଇଛି।ପ୍ରବଳ ବର୍ଷା ପାଇଁ ୨୧ ଜିଲ୍ଲାକୁ ୟେଲୋ ଆର୍ଲଟ ଜାରି ହୋଇଛି। ଏହାସହ କେତେକ ସ୍ଥାନରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ସବୁଠୁ ବଡ଼ କଥା ହେଉଛି, ପଛକୁ ପଛ ଦୁଇଟି ଲଘୁଚାପ ଆସୁଛି। ଗାଙ୍ଗେୟ ପଶ୍ଚିମବଙ୍ଗ ଓ ସଂଲଗ୍ନ ବାଂଲାଦେଶ ଉପରେ ଆଜି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆଗକୁ ଏହା ଅଧିକ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହୋଇପାରେ, ଯାହାର ପ୍ରଭାବ ଉତ୍ତର ଓଡ଼ିଶା ଉପରେ ଅଧିକ ପଡ଼ିବାର ଆଶଙ୍କା ରହିଛି। ଅଗଷ୍ଟ ୧୨ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ଆଇଏମ୍ ଡି ଆକଳନ କରିଛି। ତେବେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବ | ରାଜ୍ୟରେ ବର୍ତ୍ତମାନ ନଦୀଗୁଡ଼ିକର ଜଳପତ୍ତନ ଚିନ୍ତାଜନକ ସ୍ତରଠାରୁ ଢେର ତଳେ ରହିଛି । ମାତ୍ର ବର୍ଷା ବଢ଼ିଲେ ପୁଣି ବନ୍ୟା ଆଶଙ୍କା ଦେଖା ଦେଇପାରେ । ଗୁରୁବାର ସନ୍ଧ୍ୟା ୬ଟାବେଳେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୧୩.୮୯ ଫୁଟ ଥିଲା । ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୧ ଲକ୍ଷ ୩ ହଜାର ୬୦୯ ଘନଫୁଟ ପାଣି ପ୍ରବେଶ କରୁଥିବାବେଳେ ୮ଟି ଗେଟ ଦେଇ ୧ ଲକ୍ଷ ୫୫ ହଜାର ୭୭୨ ଘନଫୁଟ ପାଣି ଛଡ଼ାଯାଉଛି ।

You might also like