ଗଭୀର ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜାରି ରହିଛି ବର୍ଷା । ୧୭ ଜିଲ୍ଲାକୁ ୟେଲୋ ଆଲର୍ଟ
ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଏବେ ଧୀରେ ଧୀରେ ଦୁର୍ବଳ ହେଉଛି। ଗତ ୬ ଘଣ୍ଟାରେ ଘଣ୍ଟାପ୍ରତି ପ୍ରାୟ ୭ କିଲୋମିଟର ବେଗରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରିଛି ଏହି ଅବପାତ। ଭୁବନେଶ୍ୱର ଆଇଏମ୍ଡିର ନିର୍ଦ୍ଦେଶିକା ଡ଼ଃ ମନୋରମା ମହାନ୍ତିଙ୍କ ଅନୁସାରେ ଅବପାତର ପ୍ରଭାବରେ ଓଡ଼ିଶାର ଦକ୍ଷିଣ ଓ ଉପକୂଳ ଅଞ୍ଚଳରେ ଭାରିରୁ ଅତି ଭାରି ବର୍ଷାର ଆଶଙ୍କା ରହିଛି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ନବରଙ୍ଗପୁର, କଳାହାଣ୍ଡି ଓ କୋରାପୁଟ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକରେ ବିସ୍ତୃତ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ୧ରୁ ୨ଟି ସ୍ଥାନରେ ଅତ୍ୟଧିକ ଭାରୀ ବର୍ଷା ହୋଇପାରେ।
ସେହିପରି ନୂଆପଡ଼ା, ବଲାଙ୍ଗିର, ରାୟଗଡ଼ା, କନ୍ଧମାଳ, ଗଜପତି, ଗଞ୍ଜାମ ଓ ମାଲକାନଗିରି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ଅନ୍ୟପଟେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ବରଗଡ଼, ଦେବଗଡ଼, ସୋନପୁର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ନୟାଗଡ଼, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।