ଖୁବ୍‌ଶୀଘ୍ର ଓଡ଼ିଶାରୁ ଫେରିଯିବ ମୌସୁମୀ !

ଭୁବନେଶ୍ୱର (ରାଜ୍ୟ କାହାଣୀ )ଖୁବ୍‌ଶୀଘ୍ର ଓଡ଼ିଶାରୁ ମୌସୁମୀ ଫେରିଯିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ସୂଚନା ଦେଇଛି । ଆସନ୍ତା ୧୯ ତାରିଖରୁ ଦେଶରେ ଆରମ୍ଭ ହେବ ମୌସୁମୀ ବାୟୁର ଲେଉଟାଣି । ପ୍ରଥମେ ପଶ୍ଚିମ ରାଜସ୍ଥାନରୁ ମୌସୁମୀ ବାୟୁ ଅପସାରଣ ହେବ । ଏଥିପାଇଁ ପାଗ ଅନୁକୂଳ ରହିଛି । ପରେ ମୌସୁମୀ ବାୟୁ ଧୀରେ ଧୀରେ ଉତ୍ତର-ପଶ୍ଚିମ ଭାରତରୁ ବିଦାୟ ନେବ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଯଦି ଧାର୍ଯ୍ୟ ସମୟରେ ମୌସୁମୀର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୁଏ, ତେବେ ଅକ୍ଟୋବର ଦ୍ୱିତୀୟ ସପ୍ତାହ ସୁଦ୍ଧା ଓଡ଼ିଶାରୁ ସମ୍ପୂର୍ଣ୍ଣ ବିଦାୟ ନେଇପାରେ ମୌସୁମୀ । ସାଧାରଣତଃ ଅକ୍ଟୋବର ୧୫ ସୁଦ୍ଧା ରାଜ୍ୟରୁ ମୌସୁମୀ ବାୟୁ ସମ୍ପୂର୍ଣ୍ଣ ଅପସାରଣ କରିଥାଏ ।ସେପ୍ଟେମ୍ବର ଶେଷ ସପ୍ତାହ ଆଡ଼କୁ ରାଜ୍ୟରୁ ମୌସୁମୀ ଧୀରେ ଧୀରେ ଦୁର୍ବଳ ହେବାକୁ ଲାଗେ। ଓଡ଼ିଶାରୁ କେବେ ମୌସୁମୀ ଫେରିବ ସେ ନେଇ ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ ସୂଚନା ମିଳିନାହିଁ।ଅନ୍ୟପଟେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସମ୍ଭାବନା ରାଜ୍ୟବାସୀଙ୍କ ଚିନ୍ତା ବଢ଼ାଇଛି । ତେଣୁ ମୌସୁମୀ ବିଦାୟ ନେବା ପୂର୍ବରୁ ଆସନ୍ତା କିଛି ଦିନ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷାର ପ୍ରଭାବ ଜାରି ରହିବା ନେଇ ପୂର୍ବାନୁମାନ କରାଯାଇଛି ।

You might also like