ଖୁବଶୀଘ୍ର ରେଭେନ୍ସା ବିଶ୍ୱବିଦ୍ୟାଳୟର ବିବାଦ ସମାଧାନ ହେବ -ଭିସି
ଭୁବନେଶ୍ୱର (ରାଜ୍ୟ କାହାଣୀ )ରେଭେନ୍ସା ବିଶ୍ବବିଦ୍ୟାଳୟ ସମସ୍ୟା ଖୁବଶୀଘ୍ର ସମାଧାନ ହେବ । ଗଣମାଧ୍ୟମକୁ ଆଜି ଏଭଳି ପ୍ରତିକ୍ରିୟା ଦେଇଛନ୍ତି ରେଭେନ୍ସା କୁଳପତି ଅର୍କ କୁମାର ଦାସ ମହାପାତ୍ର । ସେ କହିଛନ୍ତି ଯେ, ଘଟଣାକୁ ନେଇ କୁଳାଧିପତି ଏବଂ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଶ୍ୱବିଦ୍ୟାଳୟ ସହ ଯୋଗାଯୋଗ କରାଯାଇଛି। ସମସ୍ୟାର ସମାଧାନ ପାଇଁ ସେ ବ୍ୟକ୍ତିଗତ ଭାବେ ଶିକ୍ଷକ ସଂଘ ଓ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ସହ ଆଲୋଚନା କରିଛନ୍ତି। ତେବେ ଏପର୍ୟ୍ୟନ୍ତ କୌଣସି ସହମତି ହୋଇପାରିନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।କୁଳପତି ଆହୁରି କହିଛନ୍ତି ଯେ, ବିବାଦ ଚାଲିଥିଲେ ମଧ୍ୟ ଏହାର ପ୍ରଭାବ ଏପର୍ୟ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଠପଢ଼ା କିମ୍ବା ହଷ୍ଟେଲ ପରିଚାଳନା ଉପରେ ପଡ଼ିନାହିଁ। ବିଶ୍ୱବିଦ୍ୟାଳୟର ସମସ୍ତ ଶିକ୍ଷାଗତ ଓ ପ୍ରଶାସନିକ କାର୍ୟ୍ୟ ସ୍ୱାଭାବିକ ଭାବେ ଚାଲିଛି ସେପଟେ ରେଭେନ୍ସା ବିଶ୍ଵବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକାଙ୍କୁ ସମର୍ଥନ ଜଣାଇଛନ୍ତି ପୂର୍ବତନ ଛାତ୍ର ସଂଘର କର୍ମକର୍ତ୍ତା । ଆଜି ରେଭେନ୍ସାର ଛାତ୍ର ସଂସଦର କିଛି ପୂର୍ବତନ କାର୍ଯ୍ୟକର୍ତ୍ତା ବିଶ୍ବବିଦ୍ୟାଳୟରେ ରାଜନୈତିକ ହସ୍ତକ୍ଷେପ ବିରୋଧରେ ଫାଟକ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିଧାୟକ କ୍ୟାମ୍ପସ ଭିତରକୁ ଆସି ଅଧ୍ୟାପକ, ଅଧ୍ୟାପିକା ମାନଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରିବା ସମିଚୀନ ନୁହେଁ ବୋଲି ରେଭେନ୍ସା ଆଲୁମୁନି ମାନେ ମତ ଦେଇଛନ୍ତି ।