କୃଷି ଅଧିକାରୀଙ୍କୁ ଉପମୁଖ୍ୟମନ୍ତ୍ରୀଙ୍କ କଡ଼ା ତାଗିଦ୍, ଯିଏ କାମରେ ଅବହେଳା କରିବେ ସେ ଘରକୁ ଯିବେ
ଭୁବନେଶ୍ୱର (ରାଜ୍ୟ କାହାଣୀ )କୃଷି ଅଧିକାରୀଙ୍କ ବାହାର ରାଜ୍ୟ ଓ ବିଦେଶ ଗସ୍ତକୁ ନେଇ ତାଗିଦ୍ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ଭୁବନେଶ୍ୱର କୃଷି ଭବନ ପରିସରରେ ଆୟୋଜିତ ରାଜ୍ୟସ୍ତରୀୟ ଉଦ୍ୟାନ କୃଷି ଅଧିକାରୀ ସମ୍ମିଳନୀରେ ସେ ଅଧିକାରୀମାନଙ୍କୁ କାମର ହିସାବ ମାଗିଛନ୍ତି। ସରକାରୀ ଖର୍ଚ୍ଚରେ ବିଦେଶ କିମ୍ବା ଅନ୍ୟ ରାଜ୍ୟକୁ ଗସ୍ତ କରିଥିବା ଅଧିକାରୀମାନେ କ’ଣ ଶିଖିଲେ, କ’ଣ ଦେଖିଲେ ଏବଂ ତାହା ଓଡ଼ିଶାରେ କିପରି ପ୍ରୟୋଗ କରିବେ, ସେନେଇ ୭ ଦିନ ମଧ୍ୟରେ ରିପୋର୍ଟ ଦେବେ।ଅଧିକାରୀମାନଙ୍କୁ ସିଧାସଳଖ ଟାର୍ଗେଟ କରି କେଭି ସିଂହଦେଓ କହିଛନ୍ତି, ରାଜ୍ୟ ସରକାର କିମ୍ବା ମୁଁ ରବର ଷ୍ଟାମ୍ପ ନୁହେଁ । ତୁମେମାନେ ସରକାର ଚଳାଉନାହଁ, ଆମେ ସରକାର ଚଳାଉଛୁ । ଯିଏ ନିୟମ ମାନିବ ନାହିଁ କିମ୍ବା କାମରେ ଅବହେଳା କରିବ, ସିଏ ଘରକୁ ପଳେଇବେ । ସରକାରଙ୍କ ପ୍ରତି କେହି ସୁପର-ପାୱାର ହେବାକୁ ଚେଷ୍ଟା ନକରିବାକୁ ସେ କଡ଼ା ବାର୍ତ୍ତା ଦେଇଛନ୍ତି । ରାଜ୍ୟରେ ୫୮ଟି କୋଲ୍ଡ ଷ୍ଟୋରେଜ୍ ନିର୍ମାଣ ନେଇ ପୂର୍ବରୁ ଘୋଷଣା ହୋଇଥିଲା । କିନ୍ତୁ ବାସ୍ତବ କ୍ଷେତ୍ରରେ କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ମନ୍ତ୍ରୀ। ୫୮ଟି ମଧ୍ୟରୁ ଏବେ ମାତ୍ର ପୁରୀରେ ଗୋଟିଏ ହେବାକୁ ଯାଉଥିବା ନେଇ ସେ ଅଧିକାରୀଙ୍କୁ ଉତ୍ତର ମାଗିଛନ୍ତି । ଏହି ପ୍ରକ୍ରିୟାରେ କେଉଁଠି ତ୍ରୁଟି ରହିଛି ଏବଂ କାହିଁକି କାମ ଆଗଉ ନାହିଁ, ସେଥିପାଇଁ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି ।କେବଳ ବାହାର ଗସ୍ତ ନୁହେଁ, ପ୍ରତି ମାସରେ କରାଯାଉଥିବା ଫିଲ୍ଡ ଗସ୍ତର ରିପୋର୍ଟ ମଧ୍ୟ ଦାଖଲ କରିବେ କୃଷି ଅଧିକାରୀ। ଏଥିରେ ଅବହେଳା କଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦିଆଯାଇଛି।ମନ୍ତ୍ରୀଙ୍କ ଜିଲ୍ଲା ଗସ୍ତ ସମୟରେ ଫୁଲତୋଡ଼ା, ଉତ୍ତରୀୟ କିମ୍ବା ଗାମୁଛା ଦେବା ପରିବର୍ତ୍ତେ ଅଞ୍ଚଳର କୃଷି ସମସ୍ୟା, ଫିଲ୍ଡ ରିପୋର୍ଟ ଓ ତଥ୍ୟ ପ୍ରଦାନ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।