କମିପାରେ ପ୍ରଦୂଷଣ ସାର୍ଟିଫିକେଟ୍‌ ଜରିମାନା। ଘୋଷଣା କରିବେ ପରିବହନ ମନ୍ତ୍ରୀ 

ଭୁବନେଶ୍ଵର (ରାଜ୍ୟ କାହାଣୀ )ଦୀର୍ଘ ଦିନର ଦାବି ପରେ ଶେଷରେ ପରିବହନ ବିଭାଗ ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍‌ (ପିୟୁସିସି) ଜରିମାନା ହ୍ରାସ କରିବାକୁ ଯାଉଛି ।ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଆଜି ଭୁବନେଶ୍ୱରରେ ଜରିମାନା ହ୍ରାସ ସଂପର୍କରେ ଘୋଷଣା କରିବେ ବୋଲି ସୂଚନା ମିଳିଛି । ପାଖାପାଖି ବର୍ଷେ ହେବ ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍‌କୁ ନେଇ ଲୋକେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ପ୍ରଦୂଷଣ ସାର୍ଟିଫିକେଟ୍‌ ନଥିଲେ ପେଟ୍ରୋଲ ପମ୍ପରେ ଗାଡ଼ି ପାଇଁ ତେଲ ମିଳିବ ନାହିଁ ବୋଲି ସରକାର କଟକଣା ଜାରି କରିବା ଘଟଣା ଆଲୋଡନ ସୃଷ୍ଟି କରିଥିଲା । ଏନେଇ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହେବା ପରେ ଏହି କଟକଣା ଉଠାଇ ଦିଆଯାଇଥିଲା ।କାରଣ କେନ୍ଦ୍ରୀୟ ମୋଟରଯାନ ଆଇନରେ ଜରିମାନା ବାବଦରେ ୧ ହଜାରରୁ ସର୍ବାଧିକ ୧୦ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି । ଏଥିରୁ ରାଜ୍ୟ ସରକାର ପ୍ରଦୂଷଣ ପାଇଁ କେତେ ଜରିମାନା ଧାର୍ଯ୍ୟ କରିବେ ଏହା ତାଙ୍କର ଇଚ୍ଛାଧୀନ । ବିଭିନ୍ନ ଟୋଲ୍‌ଗେଟ୍‌ରେ ଗାଡ଼ିର ଅଟୋମେଟିକ୍‌ ଚାଲାଣ କଟିବା ବ୍ୟବସ୍ଥା କରାଯିବା ପରେ ଚାରିଆଡ଼େ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଫଳରେ ରାଜ୍ୟ ପରିବହନ ବିଭାଗ ସେତେବେଳେ ଏହି ଜରିମାନା ଅର୍ଥ ହ୍ରାସ କରାଯିବ ବୋଲି ଘୋଷଣା କରିଥିଲା । ଏବେ ପ୍ରାୟ ୧୦ମାସ ପରେ ରାଜ୍ୟ ପରିବହନ ଜରିମାନା ଅର୍ଥ ହ୍ରାସ ସଂକ୍ରାନ୍ତରେ ଘୋଷଣା କରିବାକୁ ଯାଉଛି । ମିଳିଥିବା ସୂଚନା ଅନୁସାରେ, ଓଡ଼ିଶା ସରକାର ଏହି ଜରିମାନା ଅର୍ଥକୁ ୧୦ହଜାର ଟଙ୍କାରୁ ୧ହଜାର ଟଙ୍କାକୁ ହ୍ରାସ କରିବାର ସମ୍ଭାବନା ରହିଛି ।

You might also like