ଓଡ଼ିଶା DGP ଚୟନ ମାମଲା: ସେପ୍ଟେମ୍ବର ୭କୁ ଘୁଞ୍ଚିଲା ସୁପ୍ରିମକୋର୍ଟଙ୍କ ଶୁଣାଣି

ଘୁଞ୍ଚିଲା DGP ନିଯୁକ୍ତି ଶୁଣାଣି । ଓଡ଼ିଶା ପୁଲିସ ମହାନିର୍ଦ୍ଦେକ ନିଯୁକ୍ତି ସମ୍ପର୍କିତ ମାମଲା ଶୁଣାଣି ଘୁଞ୍ଚିଲା । ଆସନ୍ତା ୭ ତାରିଖରେ ଶୁଣାଣି କରିବେ ସୁପ୍ରିମକୋର୍ଟ । ସୋମବାର ପର୍ଯ୍ୟନ୍ତ ମାମଲାକୁ ସ୍ଥଗିତ ରଖିଛନ୍ତି ସର୍ବୋଚ୍ଚ ଅଦାଲତ ।ମୁଖ୍ୟ ପ୍ରସଙ୍ଗ ହେଉଛି ଓଡ଼ିଶାର ଡିଜିପି ଚୟନ ପ୍ରକ୍ରିୟାରେ ସୁପ୍ରିମକୋର୍ଟଙ୍କ ୨୦୦୬ ମସିହାର ପ୍ରକାଶ ସିଂହ ରାୟରେ ଦିଆଯାଇଥିବା ଗାଇଡଲାଇନ୍‌ ପାଳନ କରାଯାଇଛି କି ନାହିଁ ।ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପି. ଚିଦାମ୍ବରମ୍ ଅଭିଯୋଗ କରିଛନ୍ତି ଯେ, ଜଣେ ଜୁନିଅର ଅଫିସରଙ୍କୁ ଡିଜିପି ଚୟନ ଦୌଡ଼ରେ ସାମିଲ କରିବା ପାଇଁ ରାଜ୍ୟ ସରକାର ତାଙ୍କୁ ରାତିଅଧିଆ ପଦୋନ୍ନତି ଦେଇଥିଲେ । ଏହା ଡିଜିପି ଚୟନ ସମ୍ପର୍କିତ ନିୟମ ଓ ପ୍ରକାଶ ସିଂହ ଗାଇଡଲାଇନ୍‌ର ଉଲ୍ଲଂଘନ ବୋଲି ଆବେଦନକାରୀ ପକ୍ଷର ଦାବି । ଅନ୍ୟପଟେ, ରାଜ୍ୟ ସରକାର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। କାଉଣ୍ଟର ଆଫିଡେଭିଟ୍‌ରେ ସରକାର କହିଛନ୍ତି ଯେ, ଆଇପିଏସ୍ ଅଧିକାରୀଙ୍କ ପଦୋନ୍ନତି ଏକ ନିୟମିତ ପ୍ରଶାସନିକ ପ୍ରକ୍ରିୟା। ଏଥିରେ କୌଣସି ନିୟମ ଉଲ୍ଲଂଘନ ହୋଇନାହିଁ ।DGP ଚୟନ ପ୍ରକ୍ରିୟାରେ UPSC ଯୋଗ୍ୟ ଅଧିକାରୀଙ୍କ ମଧ୍ୟରୁ ତିନିଜଣଙ୍କ ନାଁ ଏମପାନେଲ କରିଥାଏ । ପ୍ରକାଶ ସିଂହ ମାମଲାର ନିର୍ଦ୍ଦେଶ ଅନୁସାରେ ସେବା ଅବଧି, ଉତ୍ତମ ସେବା ରେକର୍ଡ ଏବଂ ପୋଲିସ ବାହିନୀର ନେତୃତ୍ୱ ନେବା ପାଇଁ ଆବଶ୍ୟକ ଅଭିଜ୍ଞତାକୁ ଏଥିରେ ବିଚାରକୁ ନିଆଯାଏ ।

ଏବେ ଆମିକ କ୍ୟୁରୀଙ୍କ ରିପୋର୍ଟ ଦାଖଲ ହୋଇଥିବାରୁ ସେପ୍ଟେମ୍ବର ୭ର ଶୁଣାଣି ଉପରେ ନଜର ରହିବ । DGP ଚୟନ ପ୍ରକ୍ରିୟା ଆଗକୁ ବଢ଼ିବ କି, ନା ଏନେଇ ସୁପ୍ରିମକୋର୍ଟ କୌଣସି ନୂଆ ନିର୍ଦ୍ଦେଶ ଦେବେ ତାହା ପରବର୍ତ୍ତୀ ଶୁଣାଣିରେ ସ୍ପଷ୍ଟ ହୋଇପାରେ ।

You might also like