ଓଡ଼ିଶା ପାଇଁ ମୋଦିଙ୍କ ଗ୍ୟାରେଣ୍ଟି କାର୍ଯ୍ୟକାରୀ କରିବାକୁ ସଂପୂର୍ଣ୍ଣ ନିଶା ନିବାରଣ ଲାଗୁ ହେଉ

ଭୁବନେଶ୍ୱର ( ରାଜ୍ୟ କାହାଣୀ)ଓଡ଼ିଶାକୁ ନିଶାମୁକ୍ତ କରିବା ପାଇଁ ୨୦୨୪ ନିର୍ବାଚନ ସମୟରେ ଓଡ଼ିଶାବାସୀଙ୍କୁ ଯେଉଁ ଗ୍ୟାରେଣ୍ଟି ଦିଆଯାଇଥିଲା ତାହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ରାଜ୍ୟରେ ସରକାର ଗଠନର ଦୁଇବର୍ଷ ପୂର୍ତ୍ତି ଉତ୍ସବ ପାଳନ ପୂର୍ବରୁ ରାଜ୍ୟ ସରକାର ନିଜ କଥା ନିଜେ ରକ୍ଷା କରି ଗୁଜରାଟ ମଡେଲ୍‍ରେ ଓଡ଼ିଶାରେ ସଂପୂର୍ଣ୍ଣ ନିଶା ନିବାରଣ କାର୍ଯ୍ୟକାରୀ କରିବା ପାଇଁ ମନେ ପକାଇ ଦିଆଯାଇଛି ।
ଏହି ମର୍ମରେ ଜଣାଶୁଣା ଗାନ୍ଧୀ ବିଚାର ଚିନ୍ତକ ତଥା ରଚନାତ୍ମକ କର୍ମୀ ପ୍ରହ୍ଲାଦ କୁମାର ସିଂହ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏକ ପତ୍ର ଲେଖିଛନ୍ତି । ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ ଗତ ନିର୍ବାଚନ ବେଳେ ‘ଓଡ଼ିଶା ପାଇଁ ମୋଦିଙ୍କ ଗ୍ୟାରେଣ୍ଟି-୨୦୨୪’ ଜାରି କରାଯାଇଥିଲା । ଏଥିରେ ବିଜେପି ନିଶାମୁକ୍ତ ଓଡ଼ିଶା ସୃଷ୍ଟି କରିବା ଓ ସମ୍ବିଧାନର ୪୭ ଧାରାକୁ କଡ଼ାକଡ଼ି ଭାବେ ଲାଗୁ କରି ଉତ୍କୃଷ୍ଟ ଜୀବନ ପଦକ୍ଷେ ନେବ ବୋଲି ଏହି ସଂକଳ୍ପପତ୍ରର ୩୮ ପୃଷ୍ଠାରେ ଥିବା ‘ଉତ୍ତମ ଶାସନ’ ଅଧ୍ୟାୟରେ ଦର୍ଶାଯାଇଛି ।
ଏହି ନିର୍ବାଚନ ବେଳେ ସାରା ରାଜ୍ୟରେ ‘ଆମର ଭୋଟ ।ଇବ ସିଏ- ନିଶା ନିବାରଣ କରିବ ଯିଏ’ ବୋଲି ପ୍ରାଚୀର ପତ୍ରମାନଙ୍କରେ ଉଲ୍ଲେଖ ଥିଲା । ସରକାରକୁ ଆସିବା ପରେ ‘ନିଶା ନୁହେଁ, ଜୀବନ ଚାହୁଁ’ ଓ ‘କଥା ଦେଇ କଥା ରଖିଲେ ମୋହନ ସରକାର’ ଭଳି ଅନେକ ବିଜ୍ଞାନ ମଧ୍ୟ ଜାରି କରାଯିବା ସହିତ ଡବଲ ଇଞ୍ଜିନ ସରକାରରେ ଗୁଜରାଟ ମଡେଲ୍‍ର କାମ ହେବ ବୋଲି କୁହାଯାଉଛି । ଗୁଜରାଟ ରାଜ୍ୟରେ ସଂପୂର୍ଣ୍ଣ ନିଶା ନିବାରଣ ଲାଗୁ କରାଯାଇଥିôବାବେଳେ ଓଡ଼ିଶାର ୩୦ଟି ଯାକ ଜିଲ୍ଲାରେ ମଧ୍ୟ କେନ୍ଦ୍ର ସରକାରଙ୍କ ନିଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ଅଥଚ ନିଶା ନିବାରିତ ହେବା ପରିବର୍ତ୍ତେ ବଢ଼ିବଢ଼ି ଚାଲିଛି ବୋଲି ଏହି ପତ୍ରରେ ଉଲ୍ଲେଖ କରାଯାଇଛି ।
ଶ୍ରୀ ମାଝୀ ବିରୋଧୀ ଦଳରେ ଥିବାବେଳେ ବିଧାନସଭାରେ ନିଶା ସଂକ୍ରାନ୍ତରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଉଥିଲେ । ଅଥଚ ଓଡ଼ିଶାରେ ବର୍ଷକୁ ବର୍ଷ ଅବକାରୀ ରାଜସ୍ୱ ବଢ଼ାଇବା ନାମରେ ନିଶା ପ୍ରସାରଣ କରାଯାଉଛି । ସରକାରୀ ତଥ୍ୟ ମୁତାବକ ୨୦୨୦-୨୧ ବର୍ଷରେ ସରକାର ମଦୁଆମାନଙ୍କୁ ପ୍ରାୟ ୨୦ କୋଟି ଲିଟର ମଦ ଯୋଗାଇଥିବାବେଳେ ୨୦୨୪-୨୫ରେ ଏହା ୪୦ କୋଟି ୧୭ଲକ୍ଷ ଲିଟରରୁ ଅଧିକ ରହିଛି । ସେହିପରି ଓଡ଼ିଶାରେ ଅବକାରୀ ରାଜସ୍ୱ ୨୦୦୦-୦୧ ବର୍ଷରେ ୧୩୫ କୋଟି ୩୫ ଲକ୍ଷ ଥିବାବେଳେ ଏହା ବଢ଼ିବଢ଼ି ୨୦୨୩-୨୪ ବର୍ଷ ବେଳକୁ ୭୨୧୫ କୋଟି ଟଙ୍କାରେ ପହଞ୍ଚିଥିଲା ଏବଂ ୨୦୨୬-୨୭ ବର୍ଷର ଓଡ଼ିଶା ସରକାରଙ୍କ ୩ଲକ୍ଷ ୧୦ ହଜାର କୋଟି ଟଙ୍କାର ମୂଳ ବଜେଟ୍‍ରେ ଅବକାରୀ ରାଜସ୍ୱରୁ ୧୦,୯୦୦ କୋଟି ଟଙ୍କା ସଂଗ୍ରହ କରିବାକୁ ଉଲ୍ଲେଖ ରହିଛି ।
ନିଶା ୍ରସାରଣ ଯୋଗୁ ରାଜ୍ୟରେ ବିଭିନ୍ନ୍‍ କିସମର ଅପରାଧ ସହିତ ନାରୀ ନିର୍ଯାତନା, ଦୁର୍ଘଟଣା, ରୋଗବ୍ୟାଧି, ଆତ୍ମହତ୍ୟା ଆଦି ବଢ଼ିଥିବାବେଳେ ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ନିରାତ୍ତା, ଦାରିଦ୍ର୍ୟ ଦୂରୀକରଣ ଆଦି ସରକାରୀ କାର୍ଯ୍ୟକ୍ରମରେ ବିପୁଳ ଅର୍ଥ ବ୍ୟୟ କରାଯାଉଥିଲେ ମଧ୍ୟ ନିଶାର ପ୍ରସାର ଯୋଗୁ ତାହାର ଆନୁପାତିକ ସୁଫଳ ମିଳୁନାହିଁ । ମଦ ନିଶାରେ ଚୁର୍‍ ହୋଇ କେଉଁଠି ପୁଅ ବାପକୁ ମାରୁଛି ତ ଆଉ କେଉଁଠି ବାପା ନିଜ ଝିଅକୁ ବଳାତ୍କାର କରୁଥିବା ଭଳି ଅଭାବନୀୟ ଖବର ପ୍ରକାଶ ପାଉଛି ।
ଶ୍ରୀରାମଚନ୍ଦ୍ରଙ୍କ ସତ୍ୟପାଳନ କଥା ମନେ ପକାଇ ଦେଇ ଏହି ପତ୍ରରେ ଲେଖାଯାଇଛି ‘ରଘୁକୂଳ ରୀତି ସଦା ଚଲି ଆୟୀ, ପ୍ରାଣ ଯାଏ ପର ବଚନ ନଯାୟୀ’ । ଓଡ଼ିଶାର ଗାଁ ଗହଳରେ ପ୍ରଚଳିତ ଥିବା ଆପ୍ତବାଣୀରେ କୁହାଯାଏ ‘ତୋ ବାକ୍ୟ ତୁହି ରକ୍ଷା କର- ଅସତ୍ୟ ନୁହଁ ସୌଦାଗର’ । ଓଡ଼ିଶାରେ ବିଜେପି ସରକାର ଗଢ଼ାଯିବାର ଦୁଇବର୍ଷ ପାଳନ ପୂର୍ବରୁ ରାଜ୍ୟ ସରକାର ନିଜ କଥା ନିଜେ ରକ୍ଷା କରି ରାଜ୍ୟର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ସଂପୂର୍ଣ୍ଣ ନିଶା ନିବାରଣ ଲାଗୁ କରିବା ସହିତ ଚୋରା ନିଶା କାରବାରକୁ କଠୋର ହସ୍ତରେ ଦମନ କରିବା ପାଇଁ ମଧ୍ୟ ଏଥିରେ ନିବେଦନ କରାଯାଇଛି ।
ଏଠାରେ ଉଲ୍ଲେଖନୀୟ ଯେ ୨୦୨୪ ମଇ ୫ ତାରିଖରେ ନିର୍ବାଚନ ଦୃଷ୍ଟିରୁ ଓଡ଼ିଶ ପାଇଁ ମୋଦିଙ୍କ ଗ୍ୟାରେଣ୍ଟି ବିଜେପି ତତ୍କାଳୀନ ଜାତୀୟ ସଭାପତି ତଥା ବର୍ତ୍ତମାନର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି. ନଡ୍ଡା ଜାରି କରିଥିଲେ । ଏହି ଅବସରରେ ଅନୁଷ୍ଠିତ ଭବ୍ୟ ସମାରୋହର ସଂଯୋଜନା କରିଥିଲେ ବର୍ତ୍ତମାନର ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ରାଜ୍ୟ ଶାଖା ବିଜେପି ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ସେଦିନ ଅନୁଷ୍ଠିତ ସମାରୋହରେ ମଞ୍ଚରେ ଉପସ୍ଥିତ ଥିଲେ ବର୍ତ୍ତମାନର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବୈଜୟନ୍ତ ପଣ୍ଡା, ପୂର୍ବତନ ସଭାପତି ସମୀର ମହାନ୍ତି ଓ ବିମ୍ବାଧର କୁଅଁର ପ୍ରମୁଖ ବହୁ ଅଗ୍ରଗଣ୍ୟ ନେତା ।

You might also like