ଓଏଏସ୍ କନିଷ୍ଠ ବର୍ଗ ଏବଂ ଓଆରଏସ୍ ଅଧିକାରୀଙ୍କ ପାଇଁ ନୂତନ ବଦଳି ନୀତି ଜାରି
ରାଜ୍ୟକାହାଣୀ ( ଭୁବନେଶ୍ୱର )ଓଏଏସ୍ (କନିଷ୍ଠ ବର୍ଗ) ଏବଂ ଓଆରଏସ୍ ଅଧିକାରୀଙ୍କ ପାଇଁ ନୂତନ ବଦଳି ନୀତି ଜାରି । ନୂତନ ନିୟମ ଅନୁଯାୟୀ, ପ୍ରତିବର୍ଷ ୧୫ ଏପ୍ରିଲ୍ ଠାରୁ ୧୫ ଜୁନ୍ ମଧ୍ୟରେ ସାଧାରଣ ବଦଳି କାର୍ଯ୍ୟ ସମ୍ପାଦିତ ହେବ। ଏହା ବ୍ୟତୀତ ଅନ୍ୟ ସମୟରେ ବଦଳି ପାଇଁ ଉଚ୍ଚତର କର୍ତ୍ତୃପକ୍ଷଙ୍କ ଅନୁମୋଦନ ଆବଶ୍ୟକ ହେବ। ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଓଏଏସ୍ ଏବଂ ଓଆରଏସ୍ ଅଧିକାରୀଙ୍କ ପଦବୀରେ ରହିବା ସମୟ ସର୍ବନିମ୍ନ ୨ ବର୍ଷ ଓ ସର୍ବାଧିକ ୩ ବର୍ଷ ହେବ।ବଦଳି ନିମନ୍ତେ କୌଣସି ପ୍ରତ୍ୟକ୍ଷ ଅବା ପରୋକ୍ଷ ସୁପାରିଶ୍ ପାଇଁ ନିଷେଧାଦେଶ ଜାରି ହୋଇଛି । ରାଜ୍ୟରେ ପ୍ରଶାସନକୁ ଅଧିକ ପ୍ରଭାବଶାଳୀ, ସ୍ଵଚ୍ଛ ଓ ଦାୟିତ୍ବସମ୍ପନ୍ନ କରିବା ଉଦ୍ଦେଶ୍ୟରେ ଓଡିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଦ୍ୱାରା ଓଡିଶା ପ୍ରଶାସନିକ ସେବା (ଓଏଏସ୍) ଗ୍ରୁପ–ଏ (କନିଷ୍ଠ ବର୍ଗ) ଏବଂ ଓଡ଼ିଶା ରାଜସ୍ୱ ସେବା (ଓଆରଏସ୍) ଅଧିକାରୀଙ୍କ ବଦଳି ଓ ପୋଷ୍ଟିଂ ସମ୍ପର୍କିତ ନୀତି ଜାରି କରାଯାଇଛି। ତେବେ ପ୍ରଶାସନିକ ଆବଶ୍ୟକତା ଏବଂ ଜନସ୍ଵାର୍ଥ ପରିପ୍ରେକ୍ଷୀରେ ଏହାର ପୁନର୍ବିଚାର ହୋଇପାରିବ। ବଦଳି ଆଦେଶ ପାଇବାର ୭ ଦିନ ମଧ୍ୟରେ ଓଏଏସ୍ ଏବଂ ଓଆରଏସ୍ ଅଧିକାରୀଙ୍କୁ ଉପର ଅଧିକାରୀଙ୍କ ଦ୍ୱାରା ରିଲିଫ୍ କରାଯିବ; ନହେଲେ ଅଷ୍ଟମ ଦିନରୁ ଆଦେଶକ୍ରମେ ରିଲିଭ୍ ହୋଇଛନ୍ତି ବୋଲି ଧରାଯିବ। ଅଧିକାରୀମାନେ ନୂତନ ପୋଷ୍ଟିଂ ସ୍ଥାନରେ ୭ ଦିନ ମଧ୍ୟରେ ଯୋଗଦେବାକୁ ପଡିବ। କୌଣସି ବି ଅଧିକାରୀ ଗୋଟିଏ ଜିଲ୍ଲାରେ ୬ ବର୍ଷରୁ ଅଧିକ ସମୟ ନିରନ୍ତର ରହିପାରିବେ ନାହିଁ ଏବଂ ସମୁଦାୟ ସେବା ଅବଧିରେ ୧୦ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିପାରିବେ ନାହିଁ। ଅଧିକାରୀମାନଙ୍କ ପାଇଁ ନିଜ ଘରୋଇ ଜିଲ୍ଲାରେ ନିଯୁକ୍ତି ନିମନ୍ତେ ନିଷେଧାଦେଶ ଜାରି କରାଯାଇଛି। ମାତ୍ର ଅବସର ପୂର୍ବରୁ ବିଶେଷ ପରିସ୍ଥିତିରେ ଏ ସମ୍ପର୍କରେ ଛାଡ଼ ମିଳିପାରେ।