ଆମେରିକା ଏବଂ ଇରାନ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି।ହର୍ମୁଜରୁ ପ୍ରଥମ ଟୋଲ୍ ଆଦାୟ କଲା ଇରାନ
ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବ ବୋଲି ବିଶ୍ବବାସୀ ଅପେକ୍ଷା କରିଥିବା ବେଳେ ଏହା ବିଫଳ ହେବ ବୋଲି ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି । ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି ପାକିସ୍ତାନ ଗସ୍ତରେ ଅଛନ୍ତି । କିନ୍ତୁ ସେ ସିଧାସଳଖ ଆମେରିକୀୟ ପ୍ରତିନିଧିଙ୍କ ସହିତ ଆଲୋଚନା କରିବେ ନାହିଁ ।ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି କେବଳ ଉଚ୍ଚସ୍ତରୀୟ ପାକିସ୍ତାନୀ ଅଧିକାରୀଙ୍କୁ ସାକ୍ଷାତ କରିବେ । ଇସଲାମାବାଦରେ ଆମେରିକା ସହିତ କୌଣସି ସିଧାସଳଖ ସାକ୍ଷାତକୁ ଇରାନ ସ୍ପଷ୍ଟ ଭାବରେ ମନା କରିଛି। ଅନ୍ୟପଟେ ପାରସ୍ୟ ଉପସାଗରରେ ଅବସ୍ଥିତ ହର୍ମୁଜ ପ୍ରଣାଳୀ ବର୍ତ୍ତମାନ ମଧ୍ୟପ୍ରାଚ୍ୟ ଯୁଦ୍ଧର ନାଭି କେନ୍ଦ୍ର ପାଲଟିଛି। ଏହି ପ୍ରଣାଳୀକୁ ଅବରୋଧ କରି ଇରାନ କେବଳ ବିଶ୍ବରେ ତୈଳ ସଙ୍କଟ ସୃଷ୍ଟି କରିନାହିଁ, ବରଂ ଆମେରିକାର ଯୁଦ୍ଧଖୋର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଖୋଲା ଅହ୍ବାନ ଦେବାରେ ଲାଗିଛି। ଇରାନ ସେନାର ଆକ୍ରମଣ ଧମକ ଯୋଗୁଁ ଶତାଧିକ ତୈଳ ଟ୍ୟାଙ୍କର ଏହି ପ୍ରଣାଳୀ ଅତିକ୍ରମ କରିବାକୁ ସାହସ କରୁନାହାନ୍ତି। ଅପରପକ୍ଷରେ ଇରାନ କେତେକ ବିଦେଶୀ ଟ୍ୟାଙ୍କର ନିକଟରୁ ଟୋଲ୍ ଆଦାୟ କରୁଛି ବୋଲି ପୂର୍ବରୁ ଅଭିଯୋଗ ହେଉଥିଲା। ଇରାନ ଏହି ଅଭିଯୋଗକୁ ଖଣ୍ଡନ କରିଆସୁଥିବାବେଳେ ବର୍ତ୍ତମାନ ପ୍ରଥମ ଥର ଟୋଲ୍ ଆଦାୟ କରିଥିବା ସ୍ବୀକାର କରିଛି।