ଆଜି ହେଉଛି ଜାତୀୟ ହସ୍ତତନ୍ତ ଦିବସ

ରାଜ୍ୟ କାହାଣୀ (ଭୁବନେଶ୍ୱର )ଆଜି ହେଉଛି ଜାତୀୟ ହସ୍ତତନ୍ତ ଦିବସ। ପ୍ରତିବର୍ଷ ଅଗଷ୍ଟ ୭ ତାରିଖରେ ଏହି ଦିବସ ପାଳନ କରାଯାଇଥାଏ । ଯେତେବେଳେ ବଙ୍ଗଳା ବିଭାଜନ ହୋଇଥିଲା ସେତେବେଳେ ସ୍ବଦେଶୀ ଆନ୍ଦୋଳନ ଶକ୍ତି ବୃଦ୍ଧି ହୋଇଥିଲା। ସର୍ବପ୍ରଥମେ ୧୯୦୫ ଅଗଷ୍ଟ ୭ରେ କୋଲକାତା ଟାଉନ ହଲରେ ବିଦେଶୀ ସାମଗ୍ରୀକୁ ବର୍ଜନ କରିବା ଏବଂ ଭାରତୀୟ ଉତ୍ପାଦ ଉପରେ ନିର୍ଭର କରିବା ପାଇଁ ଆନୁଷ୍ଠାନିକ ଘୋଷଣା କରାଯାଇଥିଲା। ଏକ ଶତାବ୍ଦୀ ପରେ ଅର୍ଥାତ୍‌ ୨୦୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଜାତୀୟ ହସ୍ତତନ୍ତ ଦିବସର ଶୁଭ ଉଦ୍‌ଘାଟନ କରିଥିଲେ। ହସ୍ତତନ୍ତ ଏବଂ ବୁଣାକାରଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଆଜିକାଲି ଯୁବପିଢୀଙ୍କ ଠାରୁ ଆରମ୍ଭ କରି ମଧ୍ୟ ବୟସ୍କ ଓ ବୟସ୍କଙ୍କ ଠାରେ ହସ୍ତତନ୍ତ ପୋଷାକ ପ୍ରତି ଚାହିଦା ଥିବା ପରୀଲକ୍ଷିତ ହେଉଛି । ଫ୍ୟାସନ୍ରେ ବି ହ୍ୟାଣ୍ଡଲୁମ୍କୁ ପ୍ରାଧାନ୍ୟ ଦିଆଯାଉଥିବା ଦେଖିବାକୁ ମିଳୁଛି । ହାତବୁଣା ଟସର ବସ୍ତ୍ର ହେଉ ଅବା ବାନ୍ଧ କପଡ଼ାରେ ତିଆରି ବିଭିନ୍ନ ବସ୍ତ୍ର, ଏହାକୁ ପିନ୍ଧି ଅନେକ ବ୍ୟକ୍ତିବିଶେଷ ନିଜର ଗାରିମା ଓ ସମୃଦ୍ଧି ପ୍ରଦର୍ଶନ କରୁଥିବା ବେଳେ ଏହାର ଶ୍ରେୟ ଯାଇଥାଏ ଓଡ଼ିଶାର କୋଣ ଅନୁକୋଣରେ ବସି ଏହାକୁ ତିଆରି କରୁଥିବା ନିପୁଣ ଓ କୁଶଳୀ ବୁଣାକାରଙ୍କୁ । ହେଲେ ସଂପ୍ରତି କଞ୍ଚାମାଲର ଦର ଅହେତୁକ ବୃଦ୍ଧି ଘଟିବା ଯୋଗୁ ଏମାନଙ୍କ କୈାଳିକ ବୃତି ବିଶେଷ ଭାବରେ ପ୍ରଭାବିତ ହୋଇଛି । କେବଳ ସେତିକି ନୁହେଁ ଉତ୍ପାଦିତ ସାମଗ୍ରୀ ମଧ୍ୟ ବିକ୍ରି କରିବା କଷ୍ଟକର ହୋଇପଡୁଛି । ଯାହାକୁ ନେଇ ଚିନ୍ତାରେ ବୁଣାକାର ପରିବାର । ତେବେ ହସ୍ତତନ୍ତ ବୁଣାକାରଙ୍କ ପାଇଁ ଖୁସି ଖବର। କାରିଗରମାନଙ୍କ ଘରେ ନିର୍ମାଣ ହେବ ତନ୍ତଶାଳ। ଏଥିପାଇଁ ସରକାର ହିତାଧିକାରୀ ଚିହ୍ନଟ ସହ ପାଣ୍ଠି ଯୋଗାଇ ଦେବେ। ଏହାଦ୍ବାରା କାରିଗରମାନେ ବୁଣାବୁଣି ଓ ଆନୁସଙ୍ଗିକ କାମ ସୁରୁଖୁରୁରେ କରିପାରିବେ। ଏ ସମ୍ପର୍କିତ ନୂଆ ଯୋଜନା ଖୁବଶୀଘ୍ର ରାଜ୍ୟରେ ଆରମ୍ଭ କରିବାକୁ ନୀତିଗତ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।

You might also like