ଆଜି ବିଶ୍ବ ହସ୍ତତନ୍ତ ଦିବସ । ପ୍ରଧାନମନ୍ତ୍ରୀଙ୍କ ସ୍ବଦେଶୀ ବାର୍ତ୍ତା

ଆଜି ବିଶ୍ବ ହସ୍ତତନ୍ତ ଦିବସ । ପ୍ରତିବର୍ଷ ଅଗଷ୍ଟ ୭ ତାରିଖକୁ ଦେଶରେ ଜାତୀୟ ହସ୍ତତନ୍ତ ଦିବସ ଭାବରେ ପାଳନ କରାଯାଏ । ଦେଶବ୍ୟାପୀ ହସ୍ତତନ୍ତର ପ୍ରଚାର ଓ ପ୍ରସାର କରିବାକୁ ଓ ଏହାର ଲୋକପ୍ରିୟତା ବଢାଇବା ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧିତ କରି ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି । ସ୍ଥାନୀୟ ବସ୍ତ୍ରର ଲୋକପ୍ରିୟତା ବୃଦ୍ଧି କରିବା ପାଇଁ ସେ ନାଗରିକମାନଙ୍କୁ “Get Ready With Me” (GRWM) ଭିଡିଓଗୁଡ଼ିକୁ ହ୍ୟାସଟ୍ୟାଗ୍ ସହିତ ସେୟାର କରିବାକୁ ଅନୁରୋଧ କରିଛନ୍ତି ।

ସେ ଏହାକୁ ପ୍ରୋତ୍ସାହିତ କରିବାକୁ Xପ୍ଲାଟଫର୍ମରେ ଲେଖିଛନ୍ତି ଯେ ୭ ଅଗଷ୍ଟ ହେଉଛି ଜାତୀୟ ହସ୍ତତନ୍ତ ଦିବସ । ଆସନ୍ତୁ ଭାରତର ହସ୍ତତନ୍ତ ବିବିଧତାକୁ ଲୋକପ୍ରିୟ କରିବା । GRWM ଭିଡିଓ ସମେତ ଆପଣଙ୍କର ପ୍ରିୟ ହସ୍ତତନ୍ତ ଉତ୍ପାଦର ଭିଡିଓଗୁଡ଼ିକୁ ସୋସିଆଲ ମିଡିଆରେ ସେୟାର କରନ୍ତୁ । #NationalHandloomDay ବ୍ୟବହାର କରିବାକୁ ଭୁଲନ୍ତୁ ନାହିଁ । ବୟନ ମନ୍ତ୍ରଣାଳୟ ଅଗଷ୍ଟ ୭ ତାରିଖରେ ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରରେ ଦ୍ୱାଦଶ ଜାତୀୟ ହସ୍ତତନ୍ତ ଦିବସ ପାଳନ କରିବ । ଯେଉଁଥିରେ ଭାରତର ହସ୍ତତନ୍ତ ଐତିହ୍ୟକୁ ପ୍ରଦର୍ଶନ କରାଯିବ ଏବଂ ଦେଶର ସାଂସ୍କୃତିକ ଏବଂ ଆର୍ଥିକ ବିକାଶରେ ହସ୍ତତନ୍ତ ବୟନ ସମ୍ପ୍ରଦାୟର ଅବଦାନକୁ ସ୍ୱୀକୃତି ଦିଆଯିବ। ତେବେ ବୁଣାକାରଙ୍କ ହାତରେ ବଞ୍ଚିଛି ଭାରତର ପରମ୍ପରା । ୧୯୦୫ ମସିହାରେ ଆଜିର ଦିନରେ କୋଲ୍‌କାତା ଟାଉନ ହଲ୍ରୁ ସ୍ବଦେଶୀ ଆନ୍ଦୋଳନର ଆରମ୍ଭ ହୋଇଥିଲା । ବିଦେଶୀ ସାମଗ୍ରୀ ବର୍ଜନ କରି ସ୍ବଦେଶୀ ଉତ୍ପାଦ ବିଶେଷ କରି ହସ୍ତତନ୍ତ ସମାଗ୍ରୀର ବ୍ୟବହାର କରିବାକୁ ଆହ୍ବାନ ଦିଆଯାଇଥିଲା । ସେହି ଐତିହାସିକ ଘଟଣାକୁ ସ୍ମରଣ କରି ୨୦୧୫ ମସିହାରେ କେନ୍ଦ୍ର ସରକାର ଅଗଷ୍ଟ ୭କୁ ଜାତୀୟ ହସ୍ତତନ୍ତ ଦିବସ ଭାବରେ ଘୋଷଣା କରିଥିଲେ ।

You might also like