ଆଜି ପବିତ୍ର ସାବିତ୍ରୀ ବ୍ରତ
ଆଜି ସାବିତ୍ରୀ ବ୍ରତ। ଜ୍ୟେଷ୍ଠ ଅମାବାସ୍ୟାକୁ ସାବିତ୍ରୀ ଅମାବାସ୍ୟା ବୋଲି ବି କୁହାଯାଇଥାଏ । ଏହି ତିଥିରେ ପାଳିତ ହୋଇଥାଏ ସାବିତ୍ରୀ ବ୍ରତ। ଏଥିଲାଗି ସାରା ଓଡ଼ିଶାରେ ସଧବା ହିନ୍ଦୁ ନାରୀମାନେ ସ୍ୱାମୀଙ୍କ ମଙ୍ଗଳ ଓ ଦୀର୍ଘାୟୁ କାମନା କରି ବ୍ରତ ପାଳୁଛନ୍ତି ।ଚନ୍ଦ୍ରମାସ ଅନୁସାରେ, ଜ୍ୟେଷ୍ଠ ମାସର କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ସାବିତ୍ରୀ ବ୍ରତ ପାଳନ କରାଯାଏ। ଏହାକୁ ‘ସାବିତ୍ରୀ ଅମାବାସ୍ୟା’ ମଧ୍ୟ କୁହାଯାଏ। ଏହି ବ୍ରତ ସହ ମହାଭାରତର ମହାସତୀ ସାବିତ୍ରୀ ଓ ସତ୍ୟବାନଙ୍କ ଉପାଖ୍ୟାନ ଜଡ଼ିତ। ଆଜି ସକାଳୁ ରାଜ୍ୟର ପ୍ରତିଟି ସହର ଓ ଗାଁ ଉତ୍ସବମୁଖର ହୋଇଛି । ଓଡ଼ିଆ ସଧବା ନାରୀମାନେ ସକାଳୁ ସ୍ନାନ ସାରି ନୂଆ ଲାଲ୍ କିମ୍ବା ହଳଦିଆ ରଙ୍ଗର ଶାଢ଼ୀ ପିନ୍ଧନ୍ତି। ହାତରେ ନୂଆ ଶଙ୍ଖା, ମଥାରେ ସିନ୍ଦୂର ଏବଂ ପାଦରେ ଅଳତା ଲଗାଇ ସମ୍ପୂର୍ଣ୍ଣ ସଧବା ବେଶରେ ସଜେଇ ହୁଅନ୍ତି। ଏହି ବ୍ରତରେ ଅନ୍ନ ଗ୍ରହଣ କରାଯାଏ ନାହିଁ। ମା’ ସାବିତ୍ରୀଙ୍କ ପାଖରେ ବିଭିନ୍ନ ପ୍ରକାର ଋତୁକାଳୀନ ଫଳ ଭୋଗ ଲଗାଯାଏ।