ଆଜି ପବିତ୍ର ଗଣେଶ ପୂଜା
ଭୁବନେଶ୍ଵର (ରାଜ୍ୟ କାହାଣୀ ) ଆଜି ପବିତ୍ର ଗଣେଶ ପୂଜା । ବିଘ୍ନହର୍ତ୍ତାଙ୍କ ପୂଜାରେ ଉତ୍ସବମୁଖର ସାରା ଦେଶ । ଓଡ଼ିଶାର ସ୍କୁଲ-କଲେଜରେ ପୂଜାର ଧୂମ୍ । ଗଣେଶ ପୂଜା ସହ ଛାତ୍ରଛାତ୍ରୀଙ୍କ ଏକ ନିଆରା ସମ୍ପର୍କ ରହିଛି । ସକାଳୁ ସକାଳୁ ସ୍କୁଲ, କଲେଜ ଓ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଆରମ୍ଭ ହୋଇଯାଇଛି ପୂଜା ପ୍ରସ୍ତୁତି । ନୂଆ ପୋଷାକ ପିନ୍ଧି ଛାତ୍ରଛାତ୍ରୀ ପୂଜାରେ ସାମିଲ ହୋଇଛନ୍ତି ।ଗାଁଠୁ ସହର-ପ୍ରତି ପ୍ରମୁଖ ଛକ ଓ ସାର୍ବଜନୀନ ମଣ୍ଡପଗୁଡ଼ିକରେ ବିରାଟକାୟ ଗଣପତି ମୂର୍ତ୍ତି ସ୍ଥାପନ କରାଯାଇଛି। ଆକର୍ଷଣୀୟ ତୋରଣ, ଆଲୋକମାଳା ଓ ବୈଦିକ ମନ୍ତ୍ରୋଚ୍ଚାରଣରେ ପରିବେଶ ଭକ୍ତିମୟ ହୋଇପଡ଼ିଛି। ଷୋଡ଼ଶୋପଚାର ପୂଜା, ଆରତି ଓ ପ୍ରସାଦ ସେବନର ବିଶେଷ ବ୍ୟବସ୍ଥା କରାଯାଇଛି। ପ୍ରଭୁ ଗଣେଶଙ୍କ ପ୍ରିୟ ଖାଦ୍ୟ ‘ଲଡୁ’ ଓ ‘ମୋଦକ’ ଭୋଗ ଲଗାଇବା ପାଇଁ ମଣ୍ଡପଗୁଡ଼ିକରେ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି।ବିଶାଳ ତୋରଣ, ଆକର୍ଷଣୀୟ ପଣ୍ଡାଲ, ଆଲୋକସଜ୍ଜା ଓ ମେଳା ପାଇଁ ଜଟଣୀର ଗଣେଶୋତ୍ସବ ରାଜ୍ୟର ବିଭିନ୍ନ ସ୍ଥାନରୁ ଲୋକଙ୍କୁ ଆକର୍ଷିତ କରେ । ଭୁବନେଶ୍ୱର ଓ କଟକରେ ମଧ୍ୟ ବିଭିନ୍ନ ପୂଜା କମିଟି ପକ୍ଷରୁ ଗଣେଶ ପୂଜାର ବ୍ୟାପକ ଆୟୋଜନ ହୁଏ । ସେହିପରି ତାଳଚେର, ଅନୁଗୋଳ ଓ ରାଉରକେଲା ଭଳି ଶିଳ୍ପାଞ୍ଚଳରେ ବିଭିନ୍ନ କ୍ଲବ, ସଂଗଠନ ଓ ପୂଜା କମିଟି ପକ୍ଷରୁ ଆଡ଼ମ୍ବରରେ ଗଜାନନଙ୍କ ଆରାଧନା କରାଯାଏ ।