ଆଜି ଜାତୀୟ କ୍ରୀଡା ଦିବସ, ମନେ ପଡନ୍ତି ହକି ଯାଦୁଗର

ଭୁବନେଶ୍ୱର (ରାଜ୍ୟ କାହାଣୀ )ଆଜି ଜାତୀୟ କ୍ରୀଡ଼ା ଦିବସ । ଏହା ସହିତ ହକି ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ପୂଣ୍ୟ ଜନ୍ମତିଥି । ଅଲିମ୍ପକ୍ସରେ ହକି ପ୍ରତି ଧ୍ୟାନଚାନ୍ଦଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ସେ ଅନେକଙ୍କ ପାଇଁ ପ୍ରେରଣା ଥିଲେ । ହକିରେ ଚମତ୍କାର ପ୍ରଦର୍ଶନ ବଳରେ ଭାରତକୁ ବିଶ୍ବ ଦରବାରରେ ସ୍ବତନ୍ତ୍ର ସ୍ଥାନ ଦେଇଥିଲେ । ଭାରତକୁ ଏକ ପ୍ରମୁଖ କ୍ରୀଡ଼ା ଶକ୍ତି ଭାବେ ଉଭା କରିଥିଲେ । ଆଜି ସେହି ମହାନ ହକି କିମ୍ବଦନ୍ତୀଙ୍କ ଜନ୍ମ ଦିବସ । ପ୍ରତିବର୍ଷ ଅଗଷ୍ଟ 29 ତାରିଖକୁ ଯୁବଗୋଷ୍ଠୀଙ୍କ ମଧ୍ୟରେ କ୍ରୀଡ଼ା ବିପ୍ଳବର ବହ୍ନି ଜାଳିବାକୁ ‘ଜାତୀୟ କ୍ରୀଡା ଦିବସ’ ଭାବେ ପାଳନ କରାଯାଇଥାଏ ।ମହାନ ହକି ଖେଳାଳି ମେଜର ଧ୍ୟାନଚାନ୍ଦ 29 ଅଗଷ୍ଟ 1905 ରେ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଜନ୍ମଗ୍ରହଣ କରିଥିଲେ। ମେଜର ଧିଆନ ଚାନ୍ଦ 16 ବର୍ଷ ବୟସରେ ଭାରତୀୟ ସେନାରେ ଯୋଗ ଦେଇଥିଲେ। 1922 ମସିହାରେ ସେ ଜଣେ ଭାରତୀୟ ସୈନିକ ଭାବରେ ସେନାରେ ଯୋଗ ଦେଇଥିଲେ। ମେଜର ଧ୍ୟାନଚାନ୍ଦ ଆରମ୍ଭରୁ ଜଣେ ଖେଳାଳି ଥିଲେ। ସେ ହକି ଖେଳିବା ପାଇଁ ସୁବେଦାର ମେଜର ତିୱାରୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଥିଲେ। ଧ୍ୟାନଚାନ୍ଦ ତାଙ୍କ ତତ୍ତ୍ୱାବଧାନରେ ହକି ଖେଳିବା ଆରମ୍ଭ କଲେ । ମେଜର ଧ୍ୟାନଚାନ୍ଦ କେବଳ ଭାରତରେ ନୁହେଁ ବିଶ୍ୱରେ ଜଣେ ମହାନ ହକି ଖେଳାଳି ଥିଲେ। ମେଜର ଧିଆନ୍ ଚାନ୍ଦ ଭାରତକୁ 1928 (ଆମଷ୍ଟରଡାମ୍), 1932 (ଲସ୍ ଆଞ୍ଜେଲସ୍) ଏବଂ 1936 (ବର୍ଲିନ୍) ଗ୍ରୀଷ୍ମ ଅଲିମ୍ପିକ୍ସରେ ବିଜୟ ସହ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ତିନୋଟି ଅଲିମ୍ପିକ୍ ଗେମ୍ସରେ ଧ୍ୟାନଚାନ୍ଦ ଭାରତର ପ୍ରତିନିଧିତ୍ୱ କରିଛନ୍ତି। 1932 ମସିହାରେ 37 ଟି ମ୍ୟାଚରେ ଭାରତ 338 ଗୋଲ ସ୍କୋର କରିଥିଲା, ସେଥିମଧ୍ୟରୁ କେବଳ ଧ୍ୟାନଚାନ୍ଦ 133 ଗୋଲ ସ୍କୋର କରିଥିଲେ।ଏହି ଦିବସ ପାଳନ ଆମ ଦୈନନ୍ଦିନ ଜୀବନରେ କ୍ରୀଡ଼ା ଏବଂ ବିଭିନ୍ନ ଶାରୀରିକ କାର୍ଯ୍ୟକଳାପର ଗୁରୁତ୍ବପୂର୍ଣ୍ଣ ଭୂମିକା ବାବଦରେ ସେଚନତ କରାଉଛି । କ୍ରୀଡ଼ା ଏଭଳି ଏକ ମାଧ୍ୟମ ଯାହା ଦ୍ବାରା ଏକ ସମାବେଶୀ ତଥା ସମର୍ଥ ସମାଜ ଗଠନ ହୋଇପାରିବ ।

You might also like