ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୮ତମ ଜୟନ୍ତୀ

ରାଜ୍ୟ କାହାଣୀ(ଭୁବନେଶ୍ଵର)ମଧୁବାବୁଙ୍କ ଜନ୍ମ ୧୮୪୮ ମସିହା ଏପ୍ରିଲ ଅଠେଇଶ ତାରିଖରେ ସତ୍ୟଭାମାପୁରର ମର୍ଯ୍ୟାଦାପୂର୍ଣ୍ଣ ଚଉଧୁରୀ ସୁଦର୍ଶନ ଦାସ ଓ ସତୀ କୃଷ୍ଣା ଦେଇଙ୍କ ବଂଶର ରଘୁନାଥ ଓ ପାର୍ବତୀ ଦେବୀଙ୍କ ତୃତୀୟ ସନ୍ତାନ ତଥା ପ୍ରଥମ ପୁତ୍ର ଭାବେ। ଗାଁ ଅବଧାନଙ୍କ ଚାଟଶାଳୀରୁ ମହାସିଂପୁର ମିଡିଲ ସ୍କୁଲ, ସେଠାରୁ କଟକ ଉଚ୍ଚ ଇଂରାଜୀ ବିଦ୍ୟାଳୟ , ତାହା ପୁଣି ସାଆନ୍ତ ମାଆଙ୍କ ପାଇଁ, ବଡବାପା ଚଉଧୁରୀ ଲୋକନାଥ ଦାସଙ୍କ ପ୍ରାଥମିକ ଅନିଚ୍ଛା ସତ୍ତ୍ବେ। ଜାତକର ଶ୍ରଦ୍ଧା ନାମ ଗୋବିନ୍ଦ ବଲ୍ଲଭରୁ ସେ ପାଲଟି ଗଲେ ମଧୁସୂଦନ।ଶିକ୍ଷକଙ୍କ ଇଂରାଜୀ ବାକ୍ୟର ଭୂଲ ଅର୍ଥର ପ୍ରତିବାଦ କରି ସେ ବିଦ୍ୟାଳୟରୁ ବହିଷ୍କୃତ ହୋଇଥିଲେ। ସେ ପ୍ରଧାନ ଶିକ୍ଷକଙ୍କ ପାଖରେ କ୍ଷମା ପ୍ରାର୍ଥନା ନକରି ତାଙ୍କ ଉଚ୍ଚ କର୍ତ୍ତୃପକ୍ଷ ମିଷ୍ଟର ହେଲିଙ୍କୁ ଅଭିଯୋଗ କରିଥିଲେ। ମା’ଙ୍କ ପାଖରୁ ଶିଖିଥିବା ‘ଆଲୋ ସଖି, ଆପଣା ମହତ ଆପେ ରଖି’ ତାଙ୍କ ଜୀବନର ଅନେକ ଜଟିଳ ସନ୍ଧି କ୍ଷଣରେ ତାଙ୍କୁ ଦୃଢ କରି ଠିଆ କରେଇଥିଲା।ଓଡ଼ିଶାର ପ୍ରଥମ ଗ୍ରାଜୂଏଟ୍ ହେବା ପାଇଁ ମଧୁସୂଦନଙ୍କ ପ୍ରବଳ ଇଚ୍ଛା। ସେଥିପାଇଁ ଅର୍ଥ ଯୋଗାଡ଼ କରିବାକୁ ମଧୁସୂଦନଙ୍କୁ ବାଲେଶ୍ଵର ଜିଲ୍ଲା ସ୍କୁଲରେ ସାମୟିକ ଭାବେ ତୃତୀୟ ଶିକ୍ଷକ ହେବାକୁ ପଡ଼ିଥିଲା। କିଛିଦିନ ପରେ ଚାନ୍ଦବାଲି ବନ୍ଦରରୁ ଷ୍ଟିମରରେ ବସି ଦିନକ ପରେ ଯାଇ ମଧୁସୂଦନ କଲିକତାରେ ପହଞ୍ଚିଗଲେ। ହାତରେ ଥିବା ଅଳ୍ପ କିଛି ଟଙ୍କା ଦିନ କେତେଟାରେ ଶେଷ ହୋଇ ଯିବାରୁ କଲେଜରେ ନାମ ଲେଖାଇବା ପାଇଁ ଘୋର ଆର୍ଥିକ ଅଭାବ ଦେଖା ଦେଲା।ଫ୍ରି ଷ୍ଟୁଡେଣ୍ଟ୍ ସୁବିଧା ଆଶାରେ ଭୋକିଲା ପେଟ ଆଉ ଅବଶ ଦେହରେ ସେ ଭବାନୀପୁରର ଲଣ୍ଡନ ମିସନ୍ ସୋସାଇଟି କଲେଜରେ ପହଞ୍ଚିଗଲେ। କଲେଜ ସୁପରିଟେଣ୍ଡେଟ୍ ମଧୁସୂଦନଙ୍କୁ କଲେଜରେ ନାମ ଲେଖାଇଦେଇ ମାସିକ ସାତ ଟଙ୍କା ଷ୍ଟାଇପେଣ୍ଡ ମିଳିବାର ବ୍ୟବସ୍ଥା କରିଦେଲେ। ୧୮୭୦ ମସିହାରେ କଲିକତା ବିଶ୍ୱବିଦ୍ୟାଳୟରୁ ବି.ଏ.ପାସ୍‌‌ କରି ଓଡ଼ିଶାର ପ୍ରଥମ ଗ୍ରାଜୂଏଟ୍ ହେଲେ। ଧର୍ମ ପରିବର୍ତ୍ତନ କରିଥିବାରୁ ନିଜ ଜନ୍ମସ୍ଥାନ ସତ୍ଯଭାମାପୁର ଘରକୁ ପଶିବା ତାଙ୍କ ପକ୍ଷରେ ସମ୍ଭବ ହୋଇନଥିଲା।୧୮୭୩ ମସିହାରେ ସେ ଏମ୍.ଏ.ପାସ୍ କରିଥିଲେ। ସେହିବର୍ଷ  ସୌଦାମିନୀଙ୍କ‌‌ ସହ ତାଙ୍କର ବିବାହ ହୋଇଥିଲା।ଆଇନ କଲେଜରେ ପଢ଼ୁଥିବା ବେଳେ ମଧୁବାବୁ ଆଶୁତୋଷ ମୁଖାର୍ଜୀଙ୍କ ଗୃହ ଶିକ୍ଷକ ଥିଲେ। ସେହି ଆଶୁତୋଷ ଭବିଷ୍ୟତରେ କଲିକତା ବିଶ୍ୱବିଦ୍ୟାଳୟର ଭାଇସ୍ -ଚାନସେଲର ହୋଇଥିଲେ। ଆଇନ ପରୀକ୍ଷାରେ ପାସ୍ କରିବା ପରେ ମଧୁବାବୁ କଲିକତାରେ ଓକିଲାତି କଲେ।କିଛିଦିନ ପରେ ତାଙ୍କର ସ୍ତ୍ରୀ ବିୟୋଗ ଘଟିଲା। ଯୁବକ ମଧୁସୂଦନଙ୍କ ହୃଦୟରୁ ପତ୍ନୀ ବିୟୋଗର ସ୍ମୃତି ସହଜରେ ଲିଭି ନଥିଲା। ତାଙ୍କ ଶୋଇବା ଘରେ ଓ ତାଙ୍କ ପତ୍ନୀ ସୌଦାମିନୀଙ୍କ ସମାଧିରେ ଲେଖିଥିଲେ,”ମରି ନାହଁ,ଆଗେ ଯାଇଛ ମାତ୍ର।” ଦୀର୍ଘ ୧୫ ବର୍ଷ ପରେ ମଧୁବାବୁ କଟକ ଫେରିଆସିଲେ। କଟକରେ  ପ୍ରଥମ ମୋକଦ୍ଦମାରେ ଜଣେ ଧନିକ ମହନ୍ତ ମହାରାଜଙ୍କ ବିରୁଦ୍ଧରେ ଲଢ଼ି ନିଃସ୍ଵ ପ୍ରତିବାଦୀ ଜଣେ ଚାଷୀ ସପକ୍ଷରେ ମୋକଦ୍ଦମା ଜିତିଥିଲେ।ମଧୁସୂଦନ କଟକ ହାଇସ୍କୁଲରେ ପଢୁଥିବା ବେଳେ ଗୌରୀଶଙ୍କର କିଛି ଦିନ ପାଇଁ ତାଙ୍କର ଗୃହଶିକ୍ଷକ ଥିଲେ। ମଧୁବାବୁଙ୍କ ପ୍ରଚେଷ୍ଟାରେ ଗୌରୀଶଙ୍କରଙ୍କ କଟକ ପ୍ରିଣ୍ଟିଂ କମ୍ପାନୀ ଓଡ଼ିଶା ନବଜାଗରଣର ଏକ ‌ପ୍ରମୁଖ କେନ୍ଦ୍ର ହେଲା।୧୮୮୭ ମସିହାରେ ସେ କଟକ ଜିଲ୍ଲା ବୋର୍ଡ଼ ଚେୟାରମେନ ହେଲେ।ତା ପୂର୍ବରୁ ରେଭେନ୍ସା କଲେଜର ଲ’ କ୍ଲାସରେ ଶିକ୍ଷାଦାନ କରୁଥିଲେ ମଧୁବାବୁ।୧୮୮୨ ମସିହା ଅଗଷ୍ଟ ୧୬ ତାରିଖରେ କଟକ ପ୍ରିଣ୍ଟିଂ କମ୍ପାନୀ କୋଠିରେ ‘ଉତ୍କଳ ସଭା’ ନାମରେ ଗୋଟିଏ ଅନୁଷ୍ଠାନ ଗଢାଯାଇଥିଲା। ଏହା ହେଉଛି ଓଡ଼ିଶାର ସର୍ବପ୍ରଥମ ବିଧିବଦ୍ଧ ଅନୁଷ୍ଠାନ ଯାହାକି ୧୯୦୩ରେ ଉତ୍କଳ ସମ୍ମିଳନୀ ଗଠିତ ହେବା ପର୍ଯ୍ୟନ୍ତ ରାଜନୈତିକ ଅନୁଷ୍ଠାନ ଭାବେ କାର୍ଯ୍ୟ କରିଥିଲା। ଶେଷରେ ଏହା ୧୯୦୫ରେ ବିଲୁପ୍ତ ହୋଇଯାଇଥିଲା। ଏହାର ପ୍ରଥମ ସଭାପତିଙ୍କ ମୃତ୍ୟୁ ପରେ ମଧୁବାବୁ ଏହାର ସଭାପତି ଭାବେ ଓଡ଼ିଶା ରାଜନୈତିକ ଜୀବନର‌ ସୁତ୍ରଧର ଥିଲେ।୧୮୭୪ ମସିହାରେ ବଙ୍ଗଳାର ଲେଫଟନାଣ୍ଟ ଗଭର୍ଣ୍ଣର ସାର ରିଚାର୍ଡ ଟେମ୍ପଲ କଟକ ଆସିଥିବା ବେଳେ, ପୂର୍ବ ପ୍ରଚଳିତ ପ୍ରଥା ଅନୁସାରେ ଗଭର୍ଣ୍ଣରଙ୍କ ଦରବାରରେ ଠାକୁର ରାଜା ହିସାବରେ ଦିବ୍ୟସିଂହ ଦେବ ଙ୍କୁ ଯଥାଯୋଗ୍ଯ ସମ୍ମାନ ନ ମିଳିବାରୁ ସେ ଦରବାର ପରିତ୍ୟାଗ କରିଥିଲେ। ଏହା ବ୍ରିଟିଶ ରାଜ ପ୍ରତି ଅପମାନ ମନେ କରାଯାଇ ୧୮୭୮ ମସିହାରେ ଦିବ୍ୟସିଂହ ଦେବ ଙ୍କୁ ଗୋଟିଏ ମିଥ୍ୟା ହତ୍ୟା ମାମଲାରେ ଅଭିଯୁକ୍ତ କରାଯାଇ ଥିଲା। ତତ୍ କାଳୀନ ଠାକୁର ରାଜା ଦିବ୍ୟସିଂହ ଦେବଙ୍କ ଆଣ୍ଡାମାନକୁ ଦ୍ଵୀପାନ୍ତରିତ ହେବା ପରେ ଜଗନ୍ନାଥ ମନ୍ଦିରକୁ ଅକ୍ତିଆରକୁ ନେବା ପାଇଁ ବ୍ରିଟିଶ ସରକାର ଚେଷ୍ଟା କଲେ।ଏଣେ ଦିବ୍ୟସିଂହ ଦେବଙ୍କ ମାତା ସୂର୍ଯ୍ୟମଣି ପାଟମହାଦେଇ ବ୍ରାହ୍ମଣ, ପୁରୋହିତ, ପାତ୍ର ମନ୍ତ୍ରୀ ମାନଙ୍କ ଉପସ୍ଥିତିରେ ଦିବ୍ୟସିଂହ ଦେବଙ୍କ ୫ ବର୍ଷର ପୁଅକୁ ରାଜା ମୁକୁନ୍ଦଦେବ ନାମରେ ପୁରୀ ରାଜଗାଦିରେ ଅଭିଷିକ୍ତ କରାଇଲେ। ସୂର୍ଯ୍ୟମଣି ପାଟମହାଦେଇ ନିଜେ ମନ୍ଦିର ପରିଚାଳନା କଲେ। କିନ୍ତୁ ଇଂରେଜ ସରକାର ସେ ଦାୟିତ୍ଵ ରାଣୀଙ୍କ ହାତରୁ କାଢି ନେଲେ। ଜଗନ୍ନାଥ ମନ୍ଦିରର ପରିଚାଳନା ନିମନ୍ତେ ଜଣେ ରିସିଭର ନିଯୁକ୍ତି ଦାବି କରି ଇଂରେଜ କର୍ତ୍ତୃପକ୍ଷ ମୋକଦ୍ଦମା କଲେ। ମୋକଦ୍ଦମା ଜିତିଥିଲେ ଇଂରେଜ ସରକାର। ଅଦାଲତ ରାୟ ଅନୁସାରେ ଜଣେ ରିସିଭର ନିଯୁକ୍ତି ନିମନ୍ତେ ଇଂରେଜ ସରକାର କ୍ଷମତାପ୍ରାପ୍ତ ହେଲେ। ରାଣୀ ସୂର୍ଯ୍ୟମଣି ପାଟମହାଦେଇ ମନ୍ଦିର ପରିଚାଳନାର ସମସ୍ତ ଅଧିକାରରୁ ବଞ୍ଚିତ ହେଲେ। ସୂର୍ଯ୍ୟମଣି ପାଟମହାଦେଇ ଙ୍କର ଆର୍ଥିକ ଅବସ୍ଥା ସଙ୍କଟାପନ୍ନ ହେଲା। ପୁରୀ ଠାକୁର ରାଜା ପରିବାର ପ୍ରତି ଉତ୍କଳର ଜନସାଧାରଣଙ୍କ ମଧ୍ୟରେ ଭକ୍ତି ଓ ସମ୍ମାନ ଅତୁଟ ରହିବା ସହିତ ଏହି ଅନ୍ୟାୟ ବିରୁଦ୍ଧରେ ବିଭିନ୍ନ ଅଞ୍ଚଳରେ ଗଣବିକ୍ଷୋଭ ସଂଗଠିତ ହେଲା। ଉତ୍କଳ ସଭା ଏହି ଅନ୍ୟାୟ ବିରୁଦ୍ଧରେ ପ୍ରତିବାଦ କଲା। କିନ୍ତୁ କଲିକତା ହାଇକୋର୍ଟରେ ଏହି ରାୟ ବିରୁଦ୍ଧରେ ଅପିଲ କରିବା ବ୍ୟତୀତ ଅନ୍ୟ କୌଣସି ଉପାୟ ନଥିଲା। ଆର୍ଥିକ ସମ୍ବଳ ବିହୀନ ସୂର୍ଯ୍ୟମଣି ପାଟମହାଦେଇ ମଧୁସୂଦନ ଦାସଙ୍କ ସାହାଯ୍ୟ ଭିକ୍ଷା କଲେ। ମଧୁସୂଦନ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିଲେ ବି ଉତ୍କଳୀୟ ସଂସ୍କୃତି ର ପ୍ରାଣକେନ୍ଦ୍ର ଜଗନ୍ନାଥଙ୍କ ପ୍ରତି ତାଙ୍କର ସମ୍ମାନ ଓ ଶ୍ରଦ୍ଧା କିଛି କମ୍ ନଥିଲା।ମଧୁବାବୁ କଲିକତା ହାଇକୋର୍ଟରେ ଏହି ଅପିଲ ମୋକଦ୍ଦମା ଲଢ଼ିବାକୁ ମି.ଟି.ଉଡୁରଫ୍ ଙ୍କ ଭଳି ବିଖ୍ୟାତ ଇଂରେଜ ବାରିଷ୍ଟର ମାନଙ୍କୁ ନିଯୁକ୍ତ କଲେ। ଏହି ମୋକଦ୍ଦମା ଜିତିଥିଲେ ମଧୁସୂଦନ। ପୁରୀ ମନ୍ଦିର ପରିଚାଳନାରେ ଇଂରେଜ ସରକାର ହସ୍ତକ୍ଷେପ କରିପାରିବେନି ବୋଲି ଅଦାଲତ ରାୟ ଦେଲେ।ବିହାର-ଓଡ଼ିଶା ସରକାରରେ ସ୍ଵାୟତ୍ତ ଶାସନ ମନ୍ତ୍ରୀ ଥିବା ବେଳେ ସେ ଦୁଇଟି ଆଇନ ପ୍ରଣୟନ କରିଥିଲେ। ପ୍ରଥମଟି ହେଲା, ନିର୍ବାଚିତ ଲୋକ ପ୍ରତିନିଧି ମାନଙ୍କୁ ‘ରିକଲ୍’ ବା ଫେରେଇ ଆଣିବାର ବ୍ୟବସ୍ଥା, ଦ୍ଵିତୀୟଟି ହେଉଛି ଜିଲ୍ଲା ବୋର୍ଡ ଓ ଲୋକାଲ୍ ବୋର୍ଡ ଆଦି ସ୍ଵାୟତ୍ତ ଶାସନ ଅନୁଷ୍ଠାନରେ ଅନୁନ୍ନତ ସମ୍ପ୍ରଦାୟର ଲୋକମାନଙ୍କ ପାଇଁ ପ୍ରତିନିଧିତ୍ଵ ବ୍ୟବସ୍ଥା। ଇଂରେଜ ସରକାରଙ୍କ ଅଧିନରେ ମନ୍ତ୍ରୀ ହେବାକୁ ନାପସନ୍ଦ କରି ସେ ଇସ୍ତଫା ଦେଇଥିଲେ।ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକତ୍ର କରି ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରାଯିବା ଜରୁରୀ ବୋଲି ମନେ କଲେ ମଧୁସୂଦନ। ଜଳସେଚନ ଓ କୃଷି ଉପରେ ନିର୍ଭର କରିଥାନ୍ତି ଓଡ଼ିଆ ଲୋକମାନେ।୧୮୮୪ ମସିହାରେ ଉତ୍କଳସଭାର ଏକ ଅଧିବେଶନ ଜରିଆରେ କେନାଲ ସଂପ୍ରସାରଣ ବ୍ୟବସ୍ଥା ପାଇଁ ଇଂରେଜ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଓଡ଼ିଶାରେ ଶିଳ୍ପର ପୁନରୁତ୍ଥାନ ପାଇଁ ସେ ଚେଷ୍ଟିତ ଥିଲେ।  ଉତ୍କଳ ସଭା, ନିଖିଳ ଭାରତ ଜାତୀୟ କଂଗ୍ରେସରେ ସାମିଲ ହେଲା ପରେ ଏହାର ଆଦିପିତା ତଥା ପଥପ୍ରଦର୍ଶକ ହେଲେ ମଧୁବାବୁ। ଶିଳ୍ପର ଅଭିବୃଦ୍ଧି ପାଇଁ ସେ କିପରି ସର୍ବସ୍ବାନ୍ତ ହେଲେ, ସେକଥା କାହାକୁ ଅଛପା ନାହିଁ। ଅତ୍ୟନ୍ତ ସରଳ ଓ ନିରାଡାମ୍ବର ଭାବରେ ଜୀବନ ଅତିବାହିତ କରୁଥିବା ମଧୁବାବୁ ସବୁ ଶ୍ରେଣୀର ଲୋକମାନଙ୍କ ଆର୍ଥିକ ସାହାଯ୍ୟ କରି ଦେବାଳିଆ ହୋଇ ଯାଇଥିଲେ। ମଧୁବାବୁଙ୍କ ପ୍ରଚେଷ୍ଟାରେ ଭାଷା ଭିତ୍ତିରେ ଗଞ୍ଜାମ ଓ ସମ୍ବଲପୁର ଜିଲ୍ଲା ଓଡ଼ିଆ ଭାଷାଭାଷୀ ଅଞ୍ଚଳ ସହିତ ସାମିଲ ହେଲା। ଉତ୍କଳ ସମ୍ମିଳନୀର ଲକ୍ଷ୍ୟ ଥିଲା, ଉତ୍କଳର ଐକ୍ୟ, ଉତ୍କଳର ସର୍ବାଙ୍ଗୀନ ଉନ୍ନତି, ସବୁ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଗୋଟିଏ ଶାସନ ଅଧିନରେ ରଖିବା, ପ୍ରବାସୀ ଓଡ଼ିଆଙ୍କ ସ୍ବାର୍ଥ ରକ୍ଷା କରିବା ଇତ୍ୟାଦି।ସେ ଜଣେ ଲେଖକ ଓ କବି ଭାବରେ ଖ୍ୟାତି ଅର୍ଜନ କରିଥିଲେ।ସେ ଅନେକ ଦେଶାତ୍ମବୋଧକ ସଙ୍ଗୀତ ରଚନା କରିଛନ୍ତି।ସେ ଓଡ଼ିଆ ଭାଷାରେ ଜଣେ ସୁବକ୍ତା ଥିଲେ। ‘ଉତ୍କଳ ସନ୍ତାନ’,’ଜାତି ଇତିହାସ’ ,’ଜ୍ଞାନୀର ଉକ୍ତି’ , ‘ଜାତୀୟ ଗୀତିକା’ ର ସେ ରଚୟିତା।

You might also like