ଆକାଶ ମାର୍ଗରୁ ରାଜସ୍ବ ମନ୍ତ୍ରୀଙ୍କ ବନ୍ୟା ସମୀକ୍ଷା, ବନ୍ୟା ଛାଡିଲେ ହେବ କ୍ଷୟକ୍ଷତିର ଆକଳନ
ଭୁବନେଶ୍ୱର (ରାଜ୍ୟ କାହାଣୀ )ଆକାଶମାର୍ଗରୁ ହେଲିକପ୍ଟର ଯୋଗେ ବନ୍ୟା ସମୀକ୍ଷା କଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ଯାଜପୁର, ଭଦ୍ରକ, ବାଲେଶ୍ବର ଏବଂ କେନ୍ଦୁଝର ଜିଲ୍ଲାର ବନ୍ୟାଞ୍ଚଳ ଏବଂ ଜଳବନ୍ଦୀ ଅଞ୍ଚଳ ପରିଦର୍ଶନ କରି ବିସ୍ତୃତ ସମୀକ୍ଷା କରିଛନ୍ତି l ରାଜସ୍ବ ମନ୍ତ୍ରୀଙ୍କ ସହ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଏବଂ SRC ରାଜେଶ ପ୍ରଭାକର ପାଟିଲ୍ ମଧ୍ଯ ଉପସ୍ଥିତ ରହି ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି lରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ରାଜ୍ୟରେ ବର୍ଷା କମିଛି । ନବରଙ୍ଗପୁର, କଳାହାଣ୍ଡି, କୋରାପୁଟ ଓ ବଲାଙ୍ଗୀର ଜିଲ୍ଲାରେ ଝିପିଝିପି ବର୍ଷା ହେଇଛି । ଆଜିଠୁ ୧ ତାରିଖ ପର୍ଯ୍ୟନ୍ତ ବିଶେଷ ବର୍ଷା ନାହିଁ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି । କିନ୍ତୁ ୨ ତାରିଖରୁ ପୁନର୍ବାର ବର୍ଷା ହେବା ନେଇ ପୂର୍ବାନୁମାନ ହୋଇଛି । ମହାନଦୀର ଉପରମୁଣ୍ଡ ଛତିଶଗଡ଼ରେ ହେଉଥିବା ବର୍ଷା ବର୍ତ୍ତମାନ କମ ହୋଇଛି । ବନ୍ୟା ଛାଡିବା କ୍ଷଣି କ୍ଷୟକ୍ଷତିର ଆକଳନ କରାଯିବ । ୩ ଦିନ ମଧ୍ୟରେ ସର୍ଭେ କାର୍ଯ୍ୟ ଶେଷ କରି ରିପୋର୍ଟ ଦେବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କ୍ଷତିଗ୍ରସ୍ତ ଚାଷୀଙ୍କୁ ସ୍ୱଳ୍ପ ମିଆଦୀ ବ୍ୟବସ୍ଥା କରିବା ଲାଗି କୃଷି ବିଭାଗ ସହ ଆଲୋଚନା କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।