ସୁପ୍ରିମକୋର୍ଟରେ ଏସଆଇଆର ପ୍ରକ୍ରିୟାରେ ଅନିୟମିତା ଅଭିଯୋଗ ମାମଲାରେ ବର୍ଷିଲେ ଦିଦି

ସୁପ୍ରିମକୋର୍ଟରେ ବୁଧବାର ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ (ଏସ୍‌ଆଇଆର୍‌) ନେଇ ଶୁଣାଣି ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ କୋର୍ଟରେ ଉପସ୍ଥିତ ରହି ପକ୍ଷ ରଖିଛନ୍ତି ।ସମସ୍ତଙ୍କ ନଜର ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଥିଲା, ସେ ମଧ୍ୟ ଉପସ୍ଥିତ ଥିଲେ। ମମତା ବାନାର୍ଜୀ କହିବା ପାଇଁ ଅନୁମତି ମାଗି ପଚାରିଲେ, ମୁଁ କହିପାରିବି କି? କୌଣସି ସ୍ଥାନରେ ନ୍ୟାୟ ମିଳୁନାହିଁ । ଆମେ ସମ୍ପୂର୍ଣ୍ଣ ବିବରଣୀ ସହିତ ନିର୍ବାଚନ କମିଶନଙ୍କୁ ଛଅ ଥର ଚିଠି ଲେଖିଛୁ । ମୁଁ ଏକ ସାଧାରଣ ପରିବାରରୁ ଆସିଛି, ନ୍ୟାୟ ମୋ ପାଇଁ କାନ୍ଦୁଛି । ଏହି ଯୁକ୍ତିଗୁଡ଼ିକ ଉପରେ ସୁପ୍ରିମକୋର୍ଟ ନିର୍ବାଚନ କମିଶନଙ୍କଠାରୁ ଜବାବ ମାଗିଛନ୍ତି । ପରବର୍ତ୍ତୀ ଶୁଣାଣି ଏବେ ଫେବୃଆରୀ ୯ ତାରିଖରେ ହେବ ।ସୂଚନାଯୋଗ୍ୟ, ମମତା ନିଜେ ଜଣେ ଓକିଲ ଓ ରାଜ୍ୟରେ ଚାଲିଥିବା ଏସ୍‌ଆଇଆର୍‌କୁ ଦୀର୍ଘ ଦିନ ହେଲା ବିରୋଧ କରିଆସୁଛନ୍ତି ।ପଶ୍ଚିମବଙ୍ଗର ଲୋକଙ୍କୁ ଦବେଇବାକୁ ବିଜେପି ଶାସିତ ରାଜ୍ୟର ପର୍ଯ୍ୟବେକ୍ଷକ ଅଣା ଯାଉଥିବା ସେ ଅଭିଯୋଗ କରିଛନ୍ତି। ମମତାଙ୍କ ସହିତ ବରିଷ୍ଠ ଓକିଲ ଶ୍ୟାମ ଦିବାନ ଉପସ୍ଥିତ ଥିିଲେ। ଏହି ସମୟରେ ମମତା ତିନି ବିଚାରପତି ତାଙ୍କୁ କୋର୍ଟରେ ପକ୍ଷ ରଖିବାକୁ ଅନୁମତି ଦେଇଥିବାରୁ ଧନ୍ୟବାଦ ଜଣାଇଥିଲେ । ପଶ୍ଚିମବଙ୍ଗରେ SIR ପ୍ରଥମ ପର୍ଯ୍ୟାୟ ପ୍ରକ୍ରିୟା ଗତ ଡିସେମ୍ବର ୨୫ରେ ଆରମ୍ଭ ହୋଇଥିବା ବେଳେ ପ୍ରାୟ ୫୮ ଲକ୍ଷ ଲୋକଙ୍କ ଭୋଟର ଲିଷ୍ଟରୁ ନାଁ କଟାଯାଇଛି । ଏହା ବେଆଇନ ବୋଲି ଅଭିଯୋଗ କରିଛନ୍ତି ମମତା । ମୃତ ବୋଲି ଦର୍ଶାଯାଇ ଭୋଟର ଲିଷ୍ଟରୁ ଯେଉଁମାନଙ୍କ ନାଁ କଟିଛି, ପ୍ରକୃତରେ ସେମାନେ ଜୀବିତ ବୋଲି ଦିଦି ଅଭିଯୋଗ ଉଠାଇଛନ୍ତି ।

You might also like