ମେସି ଇଭେଣ୍ଟ୍ ବିବାଦ: ଇସ୍ତଫା ଦେଲେ ପଶ୍ଚିମବଙ୍ଗ ଖେଳମନ୍ତ୍ରୀ
ପଶ୍ଚିମବଙ୍ଗ ଖେଳମନ୍ତ୍ରୀ ଅରୁପ ବିଶ୍ବାସ ଇସ୍ତଫା ଦେଇଛନ୍ତି । ଲୋକପ୍ରିୟ ପୁଟବଲ ଖେଳାଳି ଲିଓନେଲ ମେସିଙ୍କ କାର୍ଯ୍ୟକ୍ରମରେ ହୋଇଥିବା ବିଭ୍ରାଟ ନେଇ ଖେଳମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନିଜର ଇସ୍ତଫାପତ୍ର ଦେଇଛନ୍ତି । ଟିଏମସିର ପ୍ରବକ୍ତା କୃ ଣାଲ ଘୋଷ ମନ୍ତ୍ରୀଙ୍କ ଇସ୍ତଫାପତ୍ରକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।ଶନିବାର ସଲ୍ଟ ଲେକ୍ ଷ୍ଟାଡିୟମ୍ରେ ମେସିଙ୍କୁ ଦେଖିବାକୁ ଆସିଥିବା ଦର୍ଶକମାନେ ଟିକେଟ୍ ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ ଭିଭିଆଇପି, ରାଜନେତା ଓ ପୋଲିସ୍ ଅଧିକାରୀଙ୍କ ଭିଡ଼ ଯୋଗୁଁ ତାଙ୍କୁ ଠିକ୍ ଭାବରେ ଦେଖିପାରି ନଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଦର୍ଶକମାନେ ଷ୍ଟାଡିୟମ୍ରେ ଭଙ୍ଗାରୁଜା କରିଥିଲେ। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବାରୁ ପୋଲିସକୁ ବ୍ୟାପକ ଲାଠିଚାର୍ଜ କରିବାକୁ ପଡ଼ିଥିଲା ଏବଂ ଆରଏଏଫ କର୍ମଚାରୀଙ୍କୁ ମୁତୟନ କରାଯାଇଥିଲା। ହଙ୍ଗାମା କାରଣରୁ ମେସି ନିର୍ଦ୍ଧାରିତ ସମୟ ପୂର୍ବରୁ ଷ୍ଟାଡିୟମ୍ ଛାଡ଼ି ଚାଲିଯାଇଥିଲେ।
ଘଟଣାର ମୁଖ୍ୟ ଆୟୋଜକ ଶତାଦ୍ରୁ ଦତ୍ତଙ୍କୁ ଗିରଫ କରାଯାଇଛି। ଟିକେଟର ଅଧିକ ମୂଲ୍ୟ ଏବଂ ଫୁଟବଲ୍ ଆଇକନ୍ଙ୍କ ନିକଟକୁ ସୀମିତ ପ୍ରବେଶକୁ ନେଇ ହୋଇଥିବା ହଙ୍ଗାମା ପରେ ଏହି ଗିରଫଦାରୀ ହୋଇଛି। ଏହି ମାମଲାର ଯାଞ୍ଚ ପାଇଁ ଏକ ସ୍ପେଶାଲ ଟିମ ଗଠନ କରାଯାଇଛି ।