ଲୁଣ ଭାବି ଖାଇଦେଲେ ଥିମେଟ୍, ୩ ଶିଶୁ ଗୁରୁତର
ଲୁଣ ଭାବି ଥିମେଟ୍ ଖାଇଦେଲେ । ଗୁରୁତର ୩ ଜଣ ଶିଶୁ ଡାକ୍ତରଖାନାରେ ଭର୍ତ୍ତି ।ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ ମହିଷାପଟ୍ଟା ପଞ୍ଚାୟତ ଶାଳବଣୀ ଗାଁରେ ଅଘଟଣ । ଅଜାଣତାରେ ଥିମେଟ୍ ଖାଇ ୩ ଜଣ ଶିଶୁ ଗୁରୁତର ଭାବେ ଆହତ ହୋଇଛନ୍ତି ।ସୂଚନା ଅନୁସାରେ ତିନି ଜଣ ପିଲା ଗତକାଲି ଅପରାହ୍ନ ସମୟରେ ସାଙ୍ଗ ହୋଇ ବୋହୁବୋହୂକା ଖେଳ ଖେଳୁଥିଲେ । ଛୋଟ ଛୋଟ ସଢେଇରେ ମାଟି ରଖି ଭାତ ଡାଲି, ତରକାରୀ କରିଥିଲେ । ଘରେ ଥିବା ଥିମେଟକୁ ଲୁଣ ଭାବି ଆଣିବା ସହ ଘରୁ ପିଆଜ ଆଣି ଉକ୍ତ ଥିମେଟରେ ଗୋଳେଇ ଖାଇଥିଲେ ।ଘରର ସମସ୍ତ ପରିବାର ଲୋକେ ସେହି ସମୟରେ ବିଲକୁ ଧାନ କାଟିବା ପାଇଁ ଯାଇଥିଲେ । ଘରକୁ ଫେରିବା ପରେ ଶିଶୁ ମାନଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାର ଦେଖି ସେମାନଙ୍କୁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସ୍ଥିତି ଶଙ୍କଟାପନ୍ନ ହେବାରୁ ଯୁବରାଜଙ୍କୁ ପ୍ରଥମେ ରେମୁଣା ମେଡିକାଲ କଲେଜ ଓ ପରେ କଟକ ସ୍ଥାନାନ୍ତରିତ କରାଯାଇଛି । ଘନଶ୍ୟାମ ଓ ଇନ୍ଦୁରେଖା ରେମୁଣା ମେଡିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି ।ସେପଟେ ଅଧିକା ଯୁବରାଜଙ୍କ ଅବସ୍ଥା ଅଧିକ ସାଙ୍ଘାତିକ ହେବାରୁ ତାଙ୍କୁ ରାତିରେ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।