ମୃତ ବ୍ୟକ୍ତିଙ୍କ ନାଁରେ ରାସନ ଉଠାଇଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର (ରାଜ୍ୟକାହାଣୀ )ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ୧୧ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ପାରିତ ହୋଇଛି ୮ଟି ବିଭାଗର ୧୧ଟି ପ୍ରସ୍ତାବ । ଶିଳ୍ପ ବିଭାଗ, ଗୃହ ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ପର୍ଯ୍ୟଟନ ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ ରାଜସ୍ଵ ଆଦି ବିଭାଗର ପ୍ରସ୍ତାବ ଆଗତ ହୋଇଥିଲା ।ଓଡ଼ିଶା ରାଜ୍ୟ ଖାଦ୍ୟ ସୁରକ୍ଷା ନିୟମରେ ସଂଶୋଧନ କରାଯାଇଛି । ସମସ୍ତ ହିତାଧିକାରୀଙ୍କ ଇ-କେୱାଇସି ଯାଞ୍ଚ, ନାବାଳକଙ୍କ ନାମରେ ସ୍ଵତନ୍ତ୍ର ରାସନ କାର୍ଡ ଜାରି ନ କରିବା, ଅଯୋଗ୍ୟ ପରିବାର ଚିହ୍ନଟ ଆଦି ନିୟମରେ ସଂଶୋଧନ ଆଣିଛନ୍ତି ରାଜ୍ୟ ସରକାର ।ଏଣିକି ଗ୍ରାମାଞ୍ଚଳରେ ମାସିକ ୧୫ ହଜାର ଓ ସହରାଞ୍ଚଳରେ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଉପାର୍ଜନ କରୁଥିବା ପରିବାର ଖାଦ୍ୟ ସୁରକ୍ଷା ଯୋଜନାର ସୁବିଧା ପାଇପାରିବେ। ରେସନ କାର୍ଡ ପାଇଁ ଯୋଗ୍ୟତା ମାନଦଣ୍ଡରେ ପରିବର୍ତ୍ତନ ହୋଇଛି। ରାଜ୍ୟ କ୍ୟାବିନେଟ୍ ବୈଠକରେ ମୃତ ବ୍ୟକ୍ତିଙ୍କ ନାମରେ ଅନୁଚିତ ଭାବେ ରେସନ ସାମଗ୍ରୀ ଉଠାଣକୁ ରୋକିବା ପାଇଁ ଓଡ଼ିଶା ସାଧାରଣ ବଣ୍ଟନ ବ୍ୟବସ୍ଥା (ନିୟନ୍ତ୍ରଣ) ଆଦେଶ, ୨୦୧୬ରେ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ଏହି ସଂଶୋଧନ ଦ୍ୱାରା ରେସନ୍ କାର୍ଡରେ ଥିବା କୌଣସି ସଦସ୍ୟଙ୍କ ମୃତ୍ୟୁ ସମ୍ପର୍କରେ ତୁରନ୍ତ ସୂଚନା ଦେବାର ଦାୟିତ୍ବ ଘରର ମୁଖ୍ୟ କିମ୍ବା ନାମାଙ୍କିତ ସଦସ୍ୟଙ୍କ ଉପରେ ନ୍ୟସ୍ତ କରାଯାଇଛି। ତଥ୍ୟ ଲୁଚାଇ ସାମଗ୍ରୀ ଗ୍ରହଣ କଲେ ମୃତ୍ୟୁ ତାରିଖଠାରୁ ଗ୍ରହଣ କରାଯାଇଥିବା ସାମଗ୍ରୀର ମୂଲ୍ୟ ଦେଢ଼ ଗୁଣ ହାରରେ ଆଦାୟ କରାଯିବ ବୋଲି ନିଷ୍ପତ୍ତି ହୋଇଛି।

You might also like